ଓଡ଼ିଶାରେ ବନ୍ୟା ଓ ପ୍ରବଳ ବର୍ଷା: ସୁବର୍ଣ୍ଣରେଖା ଓ ବୈତରଣୀରେ ବିପଦ ସଂକେତ ,କେନ୍ଦୁଝରରେ ଭୂସ୍ଖଳନ

ଭୁବନେଶ୍ୱର : ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖା ନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଦେଖାଦେଇଛି, ଯେଉଁଠାରେ ରାଜଘାଟ ନିକଟରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେହିପରି ବୈତରଣୀ ନଦୀରେ ଛୋଟ ଧରଣର ବନ୍ୟା ସହ ଆଖୁଆପଦା ନିକଟରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ବଂଶଧରା ଓ ବୁଢାବଳଙ୍ଗ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଥିଲେ ହେଁ ଏହା ଧୀରେ ଧୀରେ କମୁଛି। ତେବେ ବୈତରଣୀରେ ଜଳସ୍ତର ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଗତ ୨୪ ଘଣ୍ଟାରେ ବୈତରଣୀ ବେସିନରେ କେନ୍ଦୁଝର ଓ ଝାଡ଼ଖଣ୍ଡରେ ୪୨.୫୭ ମିଲିମିଟର, ଉପର ବ୍ରାହ୍ମଣୀରେ ୩୫ ମିଲିମିଟର ଏବଂ ଉପର ମହାନଦୀରେ ୩୧.୩୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୬୫ ଫୁଟରେ ପହଞ୍ଚିଛି, ଯେଉଁଠାରେ ୧ ଲକ୍ଷ ୯୮ ହଜାର ଘନଫୁଟ ଜଳ ପ୍ରବେଶ କରୁଛି ଏବଂ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି। ରେଙ୍ଗାଲି ଡ୍ୟାମରେ ଦୁଇଟି ଗେଟ ଦେଇ ୩ ହଜାର ୪୦୦ ଘନମିଟର ବ୍ରାହ୍ମଣୀ ଜଳ ନିଷ୍କାସିତ ହେଉଛି।

ବୈତରଣୀ ନଦୀର ଶାଖା ନଦୀ ଗେଙ୍ଗୁଟିରେ ବନ୍ୟା ପାଣି ବୃଦ୍ଧି ପାଇବା ଯୋଗୁଁ ଭଣ୍ଡାରିପୋଖରୀ ବ୍ଲକର ସୋଲମପୁର ପଂଚାୟତ ଅନ୍ତର୍ଗତ ଟିକିଲିଆ ପୋଲ ପାଖରେ ମାଟି ଧସିଯାଇଛି। ଏହା ଫଳରେ ସେହି ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ବନ୍ୟାର ଆଶଙ୍କା ନଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଅବସ୍ଥାରେ ରହିଛି।

କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆ ଘାଟିରେ ଭୂସ୍ଖଳନ ଯୋଗୁଁ ପଥର ଖସି ରାସ୍ତା ଅବରୋଧ ହୋଇଛି। ସେହିପରି କାଞ୍ଜିପାଳି ଘାଟିରେ ମାଟି ଓ ପଥର ଧସିବା ଫଳରେ ଗୋଟିଏ ପଟେ ରାସ୍ତା ବନ୍ଦ ରହିଛି। ବର୍ଷା ଯୋଗୁଁ କେନ୍ଦୁଝରଗଡ଼ ପୌରପାଳିକା ଅଞ୍ଚଳର ସ୍ଫଞ୍ଜ କଲୋନୀ, ଗ୍ରାମଶ୍ରୀ କଲୋନୀ ଆଦି ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜିଲ୍ଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଲୋକଙ୍କୁ ସତର୍କ ରହିବାକୁ ଏବଂ ନିମ୍ନାଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *