ଯମୁନା ନଦୀ ପାଣିକୁ ବିଜେପି ଶାସିତ ରାଜ୍ୟ ବିଷାକ୍ତ କରୁଛି ବୟାନ, କେଜ୍ରିଓ୍ୱାଲଙ୍କୁ ସମନ କଲା ହରିଆଣା କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଜଳ ଯୋଗାଣରେ ବାଧା ସୃଷ୍ଟି କରିବା ପାଇଁ ବିଜେପି ଶାସିତ ରାଜ୍ୟ ଯମୁନା ନଦୀକୁ ବିଷାକ୍ତ କରୁଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ହରିୟାଣାର ଏକ ଅଦାଲତ ସମନ କରିଛନ୍ତି।

ଫେବ୍ରୁଆରି ୧୭ ରେ କୋର୍ଟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେ ଏଥିରେ ବିଫଳ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଆଇନର ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜାରି କରାଯାଇଥିବା ନୋଟିସରେ କୁହାଯାଇଛି।

ବିଜେପି ନେତୃତ୍ୱାଧୀନ ହରିୟାଣା ସରକାର ଯମୁନାର ପାଣିକୁ ବିଷାକ୍ତ କରୁଛନ୍ତି ବୋଲି କେଜ୍ରିଓ୍ଵାଲ ଅଭିଯୋଗ କରିଥିଲେ । ଏବେ ଏପରି କହିବା ପଛର କାରଣ ଦର୍ଶାଇବା ସହ ଏକ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି।

ବୁଧବାର ରାତି ୮ଟା ସୁଦ୍ଧା ଜବାବ ଦାଖଲ କରିବାକୁ କେଜ୍ରିଓ୍ଵାଲଙ୍କୁ ପ୍ରମାଣ ଦେବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏ ନେଇ କୌଣସି ଅପଡେଟ ସୂଚନା ମିଳିନାହିଁ ।

ଫେବ୍ରୁଆରି ୫ରେ ହେବାକୁ ଥିବା ଦିଲ୍ଲୀ ନିର୍ବାଚନ ପୂର୍ବରୁ ତାଙ୍କ ଅଭିଯୋଗକୁ ନେଇ ବିବାଦ ବଢ଼ୁଥିବା ବେଳେ କେଜ୍ରିୱାଲ ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ ଦିଲ୍ଲୀର ଯମୁନା ପାଣିରେ ବିପଜ୍ଜନକ ସ୍ତରର ଆମୋନିଆ ରହିଛି।

୭ଟି ପିପିଏମ୍ ଆମୋନିଆ ବିଷ ସହ ସମାନ ବୋଲି କହି କେଜ୍ରିଓ୍ଵାଲ ତାଙ୍କ ଅଭିଯୋଗକୁ ଦୋହରାଇଛନ୍ତି ଯେ ହରିୟାଣା ସରକାର ନଦୀକୁ ଦୂଷିତ କରି ଦିଲ୍ଲୀବାସୀଙ୍କ ଜୀବନକୁ ବିପଦରେ ପକାଉଛନ୍ତି। ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସର୍ବସାଧାରଣରେ ଯମୁନା ପାଣି ପିଇବାକୁ ଚ୍ୟାଲେଞ୍ଜ ଦେଇଛନ୍ତି।

ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ଯମୁନାରୁ ହାତରେ ମୁନ୍ଦାଏ ପାଣି ପିଇଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ।

ତେବେ କେଜ୍ରିଓ୍ୱାଲ କହିଛନ୍ତି, ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସାଇନି ଯମୁନା ପାଣି ପିଇବାର ନାଟକ କରିଛନ୍ତି। ଏବଂ ତା’ପରେ ସେହି ପାଣିକୁ ଯମୁନାରେ ପକାଇ ଦେଇଛନ୍ତି । ଯେତେବେଳେ ମୁଁ କହିଲି ଯେ ଯମୁନା ପାଣି ଆମୋନିଆ ପ୍ରଦୂଷଣ ଯୋଗୁଁ ଦିଲ୍ଲୀବାସୀଙ୍କ ଜୀବନ ପାଇଁ ବିପଜ୍ଜନକ ହୋଇପାରେ, ସେମାନେ ମୋ ବିରୋଧରେ ଏଫଆଇଆର ଦାଖଲ କରିବାକୁ ଧମକ ଦେଇଛନ୍ତି । ସେମାନେ ଦିଲ୍ଲୀବାସୀଙ୍କୁ ସେହି ବିଷାକ୍ତ ପାଣି ପିଇବାକୁ ଚାହୁଁଛନ୍ତି ଯାହା ସେମାନେ ନିଜେ ପିଇପାରିବେ ନାହିଁ । ମୁଁ ଏହାକୁ କେବେ ହେଲେ ହେବାକୁ ଦେବି ନାହିଁ ବୋଲି କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି।

Leave a Reply

Your email address will not be published. Required fields are marked *