ଏସ୍ସି/ଏସ୍ଟି ଜାତୀୟ ସମ୍ମିଳନୀରେ ଆଦିବାସୀଙ୍କ ବିକାଶ ପାଇଁ ସରକାରଙ୍କ ବାର୍ତ୍ତା
ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ଅନୁସୂଚିତ ଜାତି (ଏସ୍ସି) ଓ ଅନୁସୂଚିତ ଜନଜାତି (ଏସ୍ଟି) ଜାତୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଦିବାସୀ ସମ୍ପ୍ରଦାୟର ବିକାଶ ଏବଂ ସରକାରର ପ୍ରୟାସକୁ ହାଇଲାଇଟ୍ କରିଛନ୍ତି। ସମ୍ମିଳନୀରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଆଦିବାସୀଙ୍କ ଘରକୁ ଯିବା ଏକ ଫ୍ୟାଶନ୍ ହୋଇଯାଇଛି, କିନ୍ତୁ ମୁଁ ନିଜେ ଆଦିବାସୀ ପରିବାରରୁ ଜନ୍ମ ନେଇଥିବାରୁ ମୋତେ କିଛି ଶିଖିବାର ଆବଶ୍ୟକତା ନାହିଁ। ସେହି ବର୍ଗରୁ ଆସିଥିବାରୁ ମୁଁ ସମସ୍ତ ସମସ୍ୟା ବିଷୟରେ ଭଲ ଭାବେ ଅବଗତ ଅଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ଆଦିବାସୀ ଜନଜାତିଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ୨୪ ପ୍ରତିଶତ ଜନସଂଖ୍ୟା ଜନଜାତି ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କ ବିକାଶ ନହେଲେ ରାଜ୍ୟର ବିକାଶ ସମ୍ଭବ ନୁହେଁ। ସରକାର ଏସ୍ସି/ଏସ୍ଟି ବିଭାଗର ବଜେଟ୍କୁ ବୃଦ୍ଧି କରି ୬୮ ହଜାର ୮୮୧ କୋଟି ଟଙ୍କା କରିଛନ୍ତି। ଏହା ସହ ୧୪ଟି ଜିଲ୍ଲାରେ ଥିବା ୩ ଲକ୍ଷ ବିଶେଷ ଦୁର୍ବଳ ଜନଜାତି (ପିଭିଟିଜି) ବର୍ଗର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଜନମନ୍ ଯୋଜନାରେ ସାମିଲ କରାଯାଇଛି। ଆଦିବାସୀଙ୍କ ପାଇଁ ଫରେଷ୍ଟ୍ ପ୍ରୋସେସିଂ ୟୁନିଟ୍ ସ୍ଥାପନ କରିବାକୁ ସରକାର ଯୋଜନା କରିଛନ୍ତି।
ମିଲେଟ୍ ମିଶନ୍କୁ ସରକାର ଗୁରୁତ୍ୱ ଦେଇଥିବାରୁ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଅଧିକ ଲାଭବାନ୍ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଥିବା କହି ସେ ଉଲ୍ଲେଖ କରିଛନ୍ତି ଯେ, ୧୫ଟି ଏକଲବ୍ୟ ମଡେଲ୍ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ଏବଂ ୫ ଲକ୍ଷରୁ ଅଧିକ ବିଦ୍ୟାର୍ଥୀ ହଷ୍ଟେଲ୍ରେ ରହି ପାଠ ପଢ଼ୁଛନ୍ତି। ସମସ୍ତ ଜନଜାତି ଭାଷାରେ ଶିକ୍ଷାଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ପ୍ରଥମେ ଆଦିବାସୀ ସାନ୍ତାଳି ଭାଷାରେ ପଢ଼ାଇବା ପାଇଁ ବହି ଛପା ଯାଇଛି।
ଏହି ଦୁଇ ଦିନିଆ ସମ୍ମିଳନୀରେ ଉଠିଥିବା ପ୍ରସ୍ତାବ ଓ ପରାମର୍ଶକୁ ନେଇ ନୂତନ ନୀତି ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି। ଏହି ସମ୍ମିଳନୀ ଏସ୍ସି ଓ ଏସ୍ଟି ସମ୍ପ୍ରଦାୟର ବିକାଶ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନାର ଏକ ମଞ୍ଚ ସାଜିଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଅଂଶଗ୍ରହଣକାରୀମାନଙ୍କୁ ନୂତନ ଉତ୍ସାହ ଯୋଗାଇଛି।
