ନବୀନ ନିବାସରେ ରାଜ୍ୟପାଳ: ପଚାରିବୁଝିଲେ ସ୍ୱାସ୍ଥ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଥିବା ବେଳେ ରାଜ୍ୟପାଳ ହରିବାବୁ କମ୍ଭମପତି ନବୀନ ନିବାସ ଯାଇ ତାଙ୍କୁ ଭେଟିଛନ୍ତି ଓ ୨୦ ମିନିଟ୍ ଧରି ନବୀନଙ୍କ ସହିତ ଆଲୋଚନା କରିଛନ୍ତି |ଏହି ଭେଟଘାଟରେ ରାଜ୍ୟପାଳ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିବା ଜଣାପଡ଼ିଛି। ନିକଟରେ ଡିହାଇଡ୍ରେସନ୍ କାରଣରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିବା ନବୀନ ପଟ୍ଟନାୟକ ସୁସ୍ଥ ହୋଇ ଘରକୁ ଫେରିବା ପରେ ଏହି ଭେଟ ଘଟିଛି।ଏହାପରେ ରାଜ୍ୟପାଳ ନବୀନଙ୍କୁ ଫୁଲ ଓ ଫଳ ଉପହାରସ୍ୱରୂପ ପ୍ରଦାନ କରିଥିଲେ ଓ ସେଠୁ ବାହାରିଥିଲେ |

ଗତ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନବୀନ ନିବାସରେ ପହଞ୍ଚି ବିରୋଧୀ ଦଳ ନେତାଙ୍କୁ ଭେଟିଥିଲେ। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ ଯେ, ଗତ ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମଧ୍ୟ ମୋହନ ମାଝୀ ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

ଏହି ପଦକ୍ଷେପ ପାଇଁ ବିଭିନ୍ନ ମହଲରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରାଯାଇଥିଲା, ଯାହା ରାଜନୈତିକ ସୌଜନ୍ୟର ଏକ ଉଦାହରଣ ବୋଲି କୁହାଯାଉଛି। ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ପରେ ଦଳମତ ନିର୍ବିଶେଷରେ ଅନେକ ନେତା ଓ ସମର୍ଥକ ନବୀନ ନିବାସରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝୁଛନ୍ତି ଏବଂ ଆଶୁ ଆରୋଗ୍ୟ କାମନା କରୁଛନ୍ତି। ଏହି କ୍ରମରେ ରାଜ୍ୟପାଳଙ୍କ ଭେଟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ବିବେଚନା କରାଯାଉଛି।

ଅନ୍ୟପକ୍ଷରେ, ଗତ ଶୁକ୍ରବାର ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ନବୀନ ନିବାସରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଏହି ଭେଟଘାଟ ଘଟିଥିବା ବେଳେ, ପ୍ରେମଙ୍କ ହଠାତ୍ ଗସ୍ତ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚାର କାରଣ ହୋଇଛି। ଏହା କେବଳ ପାରିବାରିକ ଭେଟ ନା ରାଜନୈତିକ ଆଲୋଚନାର ଅଂଶ, ତାହା ନେଇ ଅନୁମାନ ଲଗାଯାଉଛି।

Leave a Reply

Your email address will not be published. Required fields are marked *