ନୂଆବର୍ଷରେ ପୁରୀ ଯାଉଛନ୍ତି କି, ଜାଣିରଖନ୍ତୁ ପୋଲିସ ପ୍ରଶାସନର ନିୟମ

ପୁରୀ: ନୂଆବର୍ଷ ପାଳନ ପାଇଁ ଜଗା ଦର୍ଶନ ପାଇଁ ଛୁଟି ଆସିବେ ଭକ୍ତ । ଲକ୍ଷାଧିକ ଲୋକଙ୍କ ସମାଗମକୁ ଆଖିରେ ରଖି ପୁରୀ ପ୍ରସ୍ତୁତ । ଭକ୍ତଙ୍କ ସୁରକ୍ଷାକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ନୂଆବର୍ଷ ପାଳନ ସମୟରେ ଲୋକଙ୍କ ଭିଡକୁ ଦେଖି ସହରରେ ସିସିଟିଭି ସର୍ଭେଲାନ୍ସ ରଖାଯିବା ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ୬୦ ପ୍ଲାଟୁନ୍ ପୁଲିସ ମୁତୟନ କରାଯିବ।
ଡିସେମ୍ବର ୩୧ରୁ ନୂଆବର୍ଷ ପର୍ଯ୍ୟନ୍ତ ଭିଡ଼ ବଢ଼ିବ ବୋଲି ଆଶଙ୍କା କରି ସ୍ଥାନୀୟ ପୁଲିସ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରିବା ସହ ସହରର ପ୍ରମୁଖ ପ୍ରବେଶ ପଥରେ ଚେକିଂକୁ କଡ଼ାକଡ଼ି କରିଛି।
ଭୁବନେଶ୍ୱରରୁ ଆସୁଥିବା ଗାଡ଼ି ଜେଲ ରୋଡରେ ପାର୍କିଂ କରିବେ । କୋଣାର୍କରୁ ଆସୁଥିବା ଗାଡ଼ି ଗୁଡ଼ିକ ତଳବଣିଆରେ ପାର୍କିଂ କରାଯିବ। ବ୍ରହ୍ମଗିରି ଅଞ୍ଚଳରୁ ଆସୁଥିବା ପର୍ଯ୍ୟଟକଙ୍କୁ ଷ୍ଟର୍ଲିଂ କିମ୍ବା ଟ୍ରାଭେଲ ସେଣ୍ଟରରେ ପାର୍କିଂ ସୁବିଧା ବ୍ୟବହାର କରିବାକୁ ପଡ଼ିବ। ସୁରୁଖୁରୁରେ ଯାତାୟାତ ବଜାୟ ରଖିବା ପାଇଁ ମେଡ଼ିକାଲ ଛକରୁ ଜଗନ୍ନାଥ ମନ୍ଦିର ଓ ବେଳାଭୂମି ପର୍ଯ୍ୟନ୍ତ ଚାରି ଚକିଆ ଯାନ ଚଳାଚଳକୁ ଅନୁମତି ଦିଆଯିବ ନାହିଁ । ଏବଂ ମାର୍କେଟ ଛକକୁ ଗାଡି ଫ୍ରୀ ଜୋନ ଘୋଷଣା କରାଯାଇଛି ।
ଜଗନ୍ନାଥ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ଆଶାତୀତ ଭିଡ଼ ମଧ୍ୟରେ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜିରୋ ନାଇଟ୍ ସେଲିବ୍ରେସନ୍ ସମୟରେ ଜନସମାଗମକୁ ବୃଦ୍ଧି ଦେଖି ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ସମୁଦ୍ର କୂଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି।
ଜନସାଧାରଣଙ୍କ ସୁରକ୍ଷା ପାଇଁ ମଦ୍ୟପାନ କରି ଗାଡି ଚଳାଉଥିବା ଓ ଆନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି।
“ଆମେ ଆଶା କରୁଛୁ ଯେ ଅଧିକ ଭିଡ଼ ହେବ, ତେଣୁ ଆମେ ବ୍ୟାରିକେଡ୍ ଗୁଡ଼ିକୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ଉଠାଇ ସାରିଛୁ। ମେଡିକାଲ ଛକରୁ ଶ୍ରୀମନ୍ଦିର ଓ ମେଡିକାଲ ଛକରୁ ଲାଇଟ୍ ହାଉସ୍ ଛକ ପର୍ଯ୍ୟନ୍ତ ଏହି ରାସ୍ତାରେ କୌଣସି ଯାନବାହନ ଚଳାଚଳ କରିବ ନାହିଁ ବୋଲି ଅଗ୍ରୱାଲ କହିଛନ୍ତି। ଠାକୁର ଦର୍ଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବ୍ୟାପକ ପ୍ରୟାସର ଏହା ଏକ ଅଂଶ ବିଶେଷ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।