ମହାନଦୀରେ ବନ୍ୟା ଆଶଙ୍କା: ହୀରାକୁଦ ଜଳସ୍ତର ବୃଦ୍ଧି, ୨୪ଟି ଗେଟ୍ ଖୋଲା
ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ୨୪ଟି ଗେଟ୍ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ଶୁକ୍ରବାର ଦୁଇ ପର୍ଯ୍ୟାୟରେ ହୀରାକୁଦର ଅତିରିକ୍ତ ୮ଟି ଗେଟ୍ ଖୋଲାଯାଇଛି।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୬.୪୧ ଫୁଟ୍ରେ ପହଞ୍ଚିଛି। ଏବେ ଡ୍ୟାମକୁ ୩ ଲକ୍ଷ ୮୬ ହଜାର ୦୨୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ମହାନଦୀରେ ବିଭିନ୍ନ ସ୍ଥାନରେ ଜଳପ୍ରବାହ ମଧ୍ୟ ବୃଦ୍ଧି ପାଇଛି। ତଳମୁଣ୍ଡ ବେଲଗାଁରେ ୧୪ ହଜାର କ୍ୟୁସେକ୍, ପର୍ଥଲାରେ ୩୭ ହଜାର କ୍ୟୁସେକ୍, ଖଇରମାଳରେ ୪ ଲକ୍ଷ ୧୮ ହଜାର କ୍ୟୁସେକ୍, ବରମୂଳରେ ୩ ଲକ୍ଷ ୧୧ ହଜାର କ୍ୟୁସେକ୍ ଏବଂ ମୁଣ୍ଡଳିରେ ୧ ଲକ୍ଷ ୯୬ ହଜାର ୦୨୬ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।
ଏହାର ପ୍ରଭାବରେ ସମ୍ବଲପୁର ସହର ଉପକଣ୍ଠରେ ଥିବା ମାଳତି ନଦୀରେ ମହାନଦୀର ପଛୁଆପାଣି ପଶିଛି। ଫଳରେ ମାଳତି ଗୁଣ୍ଡେରପୁର ପୋଲ ଉପରେ ୨ ଫୁଟ ପାଣି ପ୍ରବାହିତ ହେଉଥିବା ଦେଖାଯାଇଛି। ଏହି ସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି।
ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଉଛି ଏବଂ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ତେବେ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
