ବସ୍ତା-ଜଳକା ନଦୀରେ ବନ୍ୟା ସ୍ଥିତି: ଜଳସ୍ତର କମୁଛି, କିନ୍ତୁ ବଢୁଛି ଚାଷୀଙ୍କ ଚିନ୍ତା
ଭଦ୍ରକ: ଜଳକା ନଦୀର ଜଳସ୍ତର ଧୀରେ ଧୀରେ କମୁଥିବା ସୂଚନା ମିଳିଛି। ମଥାନୀ ଠାରେ ନଦୀର ବିପଦ ସଂକେତ ସ୍ତର ୬.୫୦ ମିଟର ରହିଥିବା ବେଳେ, ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୬.୫୮ ମିଟର ରହିଛି। ଗତକାଲି ଏହା ୬.୭୯ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା, ଯାହା ଫଳରେ ବସ୍ତା ବ୍ଲକର ମଥାନୀ, ଚଟାଣ ଓ ପଳାସିଆ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିଲା। କୁଡ଼ିଆ ଗାଁରେ କିଛି ଲୋକଙ୍କ ଘରେ ପାଣି ପଶିଥିବା ରିପୋର୍ଟ ମିଳିଛି।
ଏବେ ଯଦିଓ ଜଳସ୍ତର ସାମାନ୍ୟ କମିଛି, କିନ୍ତୁ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ଏବେ ବି ଜାରି ରହିଛି। ଗାଁରୁ ପାଣି ଧୀରେ ଧୀରେ ଛାଡୁଥିବା ବେଳେ, ଶହ ଶହ ହେକ୍ଟର ଚାଷ ଜମି ଏବେ ବି ବନ୍ୟା ପାଣିରେ ବୁଡ଼ି ରହିଛି। ଜଳ ନିଷ୍କାସନ ବ୍ୟବସ୍ଥାର ଅଭାବ ଏବଂ ନୟନଯୋରି ଅବରୋଧ ହେବା ଯୋଗୁଁ ପାଣି ଛାଡ଼ିବା ପାଇଁ ଆହୁରି ୩ରୁ ୪ ଦିନ ଲାଗିପାରେ। ଏହା ଫଳରେ ଚାଷୀମାନେ ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ଆଶଙ୍କା କରୁଛନ୍ତି।
ସ୍ଥାନୀୟ ଚାଷୀମାନେ ଜଣାଇଛନ୍ତି ଯେ, ବନ୍ୟା ପାଣି ଯୋଗୁଁ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ଜଳ ନିଷ୍କାସନ ବ୍ୟବସ୍ଥାର ଅଭାବ ଏବଂ ନଦୀ ଓ ନାଳରେ ଜମା ହୋଇଥିବା ମାଟି ଓ ଆବର୍ଜନା ଯୋଗୁଁ ପାଣି ଛାଡ଼ିବାରେ ବିଳମ୍ବ ହେଉଛି। ଚାଷୀମାନେ ସରକାରଙ୍କ ତରଫରୁ ତୁରନ୍ତ ସହାୟତା ଓ କ୍ଷତିପୂରଣ ଦାବି କରିଛନ୍ତି।
ଜିଲ୍ଲା ପ୍ରଶାସନ ଏହି ସ୍ଥିତି ଉପରେ ନଜର ରଖିଛି ଏବଂ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛି। ଅଗ୍ନିଶମ ବାହିନୀ ମିଳିତ ଭାବେ ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି। ଏହା ସହିତ, ଜଳ ନିଷ୍କାସନ ପାଇଁ ନାଳ ସଫା କରିବା କାର୍ଯ୍ୟ ମଧ୍ୟ ଜୋରଦାର ଚାଲିଛି।
ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୧୨ ଘଣ୍ଟାରେ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ଯାହା ବନ୍ୟା ସ୍ଥିତିକୁ ଆହୁରି ଜଟିଳ କରିପାରେ। ପ୍ରଶାସନ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି।
