ଓଡ଼ିଶାରେ ବନ୍ୟା ପରିସ୍ଥିତି ସୁଧୁରିଛି : ସୁବର୍ଣ୍ଣରେଖା ଓ ବୈତରଣୀରେ ଖସୁଛି ପାଣି

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବନ୍ୟା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ସୁବର୍ଣ୍ଣରେଖା ନଦୀରେ ପାଣି ସ୍ତର ଖସୁଥିବାରୁ ରାଜଘାଟରେ ବିପଦ ସଂକେତ ଆଜି ସନ୍ଧ୍ୟା ସୁଦ୍ଧା ତଳକୁ ଆସିବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ଭୋର ସମୟରେ ଏହା ସତର୍କ ସଂକେତ ତଳକୁ ଆସିବ। ଏହାର କାରଣ ହେଉଛି ଗତକାଲି ସୁବର୍ଣ୍ଣରେଖା ବେସିନ ଓ ଯାମସୋଲାଘାଟରେ ବେଶି ବର୍ଷା ହୋଇନାହିଁ। ସେହିପରି ବୈତରଣୀ ନଦୀରେ ଆଖୁଆପଦା ନିକଟରେ ପାଣି ବିପଦ ସଂକେତ ତଳକୁ ଆସିଛି। ନଦୀ ଘାଇ ମରାମତି କାମ ଆସନ୍ତାକାଲି କିମ୍ବା ପରଦିନ ଆରମ୍ଭ ହେବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବଂଶଧରା, ନାଗାବଳି ଓ କୋଲାବ ନଦୀରେ ସାମାନ୍ୟ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ କୌଣସି ବେସିନ୍‌ରେ ବର୍ଷା ହୋଇନାହିଁ। ହୀରାକୁଦ ଜଳଭଣ୍ଡାରରେ ଚାରୋଟି ଗେଟ୍‌ ବନ୍ଦ ହୋଇଥିବାରୁ ବର୍ତ୍ତମାନ ୮ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ମୁଣ୍ଡଳୀରେ ୩ ଲକ୍ଷ କ୍ୟୁସେକ୍‌ ଜଳ ପ୍ରଭାହିତ ହେଉଥିବା ବେଳେ ଏହାକୁ ସ୍ୱାଭାବିକ ବୋଲି କୁହାଯାଇଛି। ଆସନ୍ତାକାଲିଠାରୁ ସମଗ୍ର ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ଆଶା କରାଯାଉଛି|

ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବାଲେଶ୍ୱର ଜିଲ୍ଲାର ବସ୍ତା, ଭୋଗରାଇ, ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍‌ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍‌ ଏବଂ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ତିହିଡ଼ି ଓ ଧାମନଗର ବ୍ଲକ୍‌ରେ ମଧ୍ୟ ବନ୍ୟାର ପ୍ରଭାବ ପଡ଼ିଛି। ଯାଜପୁରରେ କାଣୀ ନଦୀ ଘାଇ ଯୋଗୁଁ ସର୍ବାଧିକ କ୍ଷୟକ୍ଷତି ହୋଇଛି। କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଓ ବାଲେଶ୍ୱରରେ ସ୍ଥିତି ସୁଧୁରିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ବର୍ଷା ହେବାର ସମ୍ଭାବନା ରହିଛି।

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି, “ପାଣି ଖସୁଛି। ଗତକାଲି ଶୁଖିଲା ଥିଲା। କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱରରେ ସ୍ଥିତି ସୁଧୁରିଛି। ଆଗାମୀ ୨୪ ଘଣ୍ଟାରେ ବର୍ଷା ହେବ। ଯାଜପୁର ଜିଲ୍ଲାରେ ୫ ହଜାର ଲୋକ ରିଲିଫ୍‌ ସେଣ୍ଟରରେ ଅଛନ୍ତି। ଆହୁରି ଆଣିବାକୁ ଗତ ରାତି ନିର୍ଦ୍ଦେଶ ଦେଇଥିଲି। ଘାଇ ହୋଇଛି ଯାଜପୁରରେ। ମୁଁ, ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଓ ଓସ୍ଡମା ଯାଜପୁର ଯାଉଛୁ ଆଉ କିଛି ସମୟରେ। ପାଣି ଛାଡିଲେ ଘାଇ ମରାମତି କାମ ଆରମ୍ଭ ହେବ। କ୍ଷୟକ୍ଷତି ଆକଳନ ପାଇଁ ନିର୍ଦେଶ ଦିଆଯାଇଛି। ଯିଏ ରିଲିଫ୍‌ ସେଣ୍ଟର ଆସୁ ନାହାନ୍ତି, ତାଙ୍କ ପାଇଁ ଖାଦ୍ୟ ଘରକୁ ଦିଆଯାଇଛି।ଏହି ସମୟରେ ପୋଲିସ୍‌ ଘର ସବୁ ଜଗୁଛି।”

Leave a Reply

Your email address will not be published. Required fields are marked *