ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଅତ୍ୟଧିକ ବର୍ଷା ହେତୁ ସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ବୈତରଣୀ ନଦୀରେ ଆନନ୍ଦପୁରଠାରେ ଜଳସ୍ତର ୩୮.୮୨ ମିଟର ଅଛି ଓ ଏହା କ୍ରମାଗତ ବୃଦ୍ଧି ପାଉଛି, ଏହାର ବିପଦ ସଂକେତ ସ୍ତର ୩୮.୩୬ ମିଟର। ସେହିପରି, ଆଖୁଆପଦାଠାରେ ଜଳସ୍ତର ୧୭.୯୮ ମିଟର ରହିଛି ଓ ଏହା କ୍ରମାଗତ ବୃଦ୍ଧି ସ୍ଥିତିରେ ଅଛି । ଏହାର ବିପଦ ସଂକେତ ସ୍ତର ୧୮.୩୩ ମିଟର ଥିବାବେଳେ ଅନୁମାନ ଅନୁଯାୟୀ, ଏହି ସ୍ତର ଆଜି ରାତି ୧୦ଟା ସୁଦ୍ଧା ୧୮.୬୫ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

ଜଳକା ନଦୀରେ ମଥାନୀଠାରେ ଜଳସ୍ତର ୭.୨୦ ମିଟର ରହିଛି ଯାହାକି ବିପଦ ସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ସ୍ତର ୬.୫୦ ମିଟର । ସୁବର୍ଣ୍ଣରେଖା ନଦୀର ଜାମଶୋଳା ଘାଟଠାରେ ଜଳସ୍ତର ୪୭.୯୨ ମିଟର ରହିଛି ଓ ଏହା ବୃଦ୍ଧି ପାଉଥିବା ସ୍ଥିତିରେ ଅଛି । ଏହାର ବିପଦ ସଂକେତ ୪୯.୧୬ ମିଟର । ସେହିପରି ରାଜଘାଟଠାରେ ଏହି ସ୍ତର ୭.୨୬ ମିଟର ରହିଛି ଓ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଏହାର, ବିପଦ ସଂକେତ ସ୍ତର ୧୦.୩୬ ମିଟର । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ସକାଳ ସୁଦ୍ଧା ସୁବର୍ଣ୍ଣରେଖା ନଦୀରେ ସର୍ବାଧିକ ବନ୍ୟା ଜଳ ପ୍ରବାହିତ ହୋଇପାରେ ଏବଂ ଜଳସ୍ତର ୧୧.୭ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଜଳସମ୍ପଦ ବିଭାଗ ପକ୍ଷରୁ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ ଯେଉଁଠି ଆବଶ୍ୟକ, ସ୍ଥାନୀୟ ବନ୍ୟା ସ୍ଥିତିକୁ ଦେଖି ତଳିଆ ଅଂଚଳର ଲୋକମାନଙ୍କୁ ଶୀଘ୍ର ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତରଣ ଓ ରିଲିଫ କାର୍ଯ୍ୟ ପରିଚାଳନା କରିବାକୁ ସତର୍କ କରାଯାଇଛି ।

ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକ ( ଚିଫ୍ ଇଞ୍ଜିନିୟର ତଥା ବେସିନ୍ ମ୍ୟାନେଜର)- ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ବେସିନ୍), ମହାନଦୀ-ବ୍ରାହ୍ମଣୀ-ବୈତରଣୀ ସିଷ୍ଟମର ଚିଫ୍ ଇଞ୍ଜିନିୟର ତଥା ବେସିନ୍ ମ୍ୟାନେଜର, ମୁଖ୍ୟ ଯନ୍ତ୍ରୀ ଓ ବେସିନ୍ ମ୍ୟାନେଜର ,ବୈତରଣୀ ବେସିନ୍ କ୍ଷେତ୍ରସ୍ତରରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟାସ୍ଥିତି ତଦାରଖ କରୁଛନ୍ତି । ସୁବର୍ଣ୍ଣରେଖା ଓ ବୈତରଣୀରେ ଜଳସ୍ତର ବୃଦ୍ଧିପାଉଥିବାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗର ଦୁଇଜଣ ସର୍ବୋଚ୍ଚ ଯନ୍ତ୍ରୀ ଭୁବନେଶ୍ୱରରୁ ସୁବର୍ଣ୍ଣରେଖା ବେସିନ୍ ଓ ବୈତରଣୀ ବେସିନକୁ ଯାଇଛନ୍ତି । ସେମାନେ ସେହି ସଂପୃକ୍ତ ବେସିନଗୁଡ଼ିକରେ ବନ୍ୟା ପରିଚାଳନା କରିବେ ।

Leave a Reply

Your email address will not be published. Required fields are marked *