ମହାନଦୀରେ ବନ୍ୟା ଆଶଙ୍କା: ଖୋଲିଛି ମୋଟ୍ ୨୦ଟି ଗେଟ୍
ଭୁବନେଶ୍ୱର: ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଗୁରୁତର ହୋଇଛି। ଛତିଶଗଡ଼ ଓ ମହାନଦୀର ଉପର ମୁଣ୍ଡରେ ଲଗାତାର ପ୍ରବଳ ବର୍ଷା ହେବାରୁ ହୀରାକୁଦ ବାନ୍ଧରେ ଜଳସ୍ତର ତୀବ୍ର ଗତିରେ ବଢୁଛି। ପାଣିର ଚାପ କମାଇବା ପାଇଁ ବାନ୍ଧ କର୍ତ୍ତୃପକ୍ଷ ଆଜି ଆଉ ୪ଟି ଗେଟ୍ ଖୋଲିଛନ୍ତି। ଏବେ ମୋଟ୍ ୨୦ଟି ଗେଟ୍ ଦ୍ୱାରା ବନ୍ୟା ପାଣି ନିଷ୍କାସିତ ହେଉଛି।
ହୀରାକୁଦ ବାନ୍ଧରୁ ପାଣି ଛାଡ଼ାଯାଉଥିବାରୁ ମହାନଦୀର ତଳ ମୁଣ୍ଡରେ ପାଣିସ୍ତର ବଢ଼ିବା ସ୍ୱାଭାବିକ। ଏହି କାରଣରୁ ସ୍ବତନ୍ତ୍ର ରିଲିଫ କମିଶନର ୧୦ଟି ଜିଲ୍ଲାର କଲେକ୍ଟରଙ୍କୁ ଚିଠି ଲେଖି ସତର୍କ ହେବାକୁ କହିଛନ୍ତି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ନିର୍ବାହୀ କର୍ମଚାରୀଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାନ୍ଧ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଯେହେତୁ ଉପର ମୁଣ୍ଡରେ ବର୍ଷା ଚାଲିଥିବାରୁ ଆଗାମୀ ୨୪ ଘଣ୍ଟା ପରିସ୍ଥିତି ଗୁରୁତ୍ବପୂର୍ଣ୍ଣ। ପାଣିସ୍ତର ଆଉ ବଢିଲେ ଆବଶ୍ୟକତାନୁସାରେ ଅଧିକ ଗେଟ୍ ଖୋଲାଯାଇପାରେ। ସାଧାରଣ ଲୋକଙ୍କୁ ସତର୍କ ରହିବାକୁ, ବିଶେଷତଃ ନଦୀ ପାଡ଼ର ଗ୍ରାମରେ ବାସ କରୁଥିବା ଲୋକଙ୍କୁ ପାଣିରୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।
