ଚାଷୀଙ୍କୁ ମିଳିବ ସ୍ବତନ୍ତ୍ର ଆଇଡି ନମ୍ବର ଓ କାର୍ଡ

ଖୁବ ଶୀଘ୍ର ରାଜ୍ୟର ସମସ୍ତ ଚାଷୀଙ୍କ ହେବ ଚାଷୀ ପଞ୍ଜିକା। ଯେଉଁଥିରେ ରାଜ୍ୟର ସମସ୍ତ ଚାଷୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହିବ। ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଚାଷୀ ପଞ୍ଜିକା ପ୍ରସ୍ତୁତି ନିମନ୍ତେ ଜାନୁଆରୀ ପହିଲାରୁ ପ୍ରତି ପଞ୍ଚାୟତରେ ଶିବିର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ୧୪ ଟିକିିଆ ନମ୍ବର ବିଶିଷ୍ଟ ସ୍ବତନ୍ତ୍ର ଆଇଡି ନମ୍ବର ଓ କାର୍ଡ ମିଳିବ।

ଏହାଦ୍ୱାରା ଚାଷୀଙ୍କ ଚିହ୍ନଟ ହେବା ସହ ସେମାନଙ୍କୁ ସିଧାସଳଖ ସରକାରଙ୍କ ସମସ୍ତ ସୁବିଧା ଓ ଯୋଜନାର ଲାଭ ମିଳିପାରିବ। ଚାଷୀ ସହାୟତା ବାଟମାରଣାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପିଏମ୍‌-କିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା, ସିଏମ୍‌-କିଷାନ, ଫସଲ ଋଣ, ଅନ୍ୟାନ୍ୟ ସମସ୍ତ କୃଷି ସବ୍‌ସିଡିକୁ ପାରଦର୍ଶିତାର ସହ ପ୍ରଦାନ ନିମନ୍ତେ ଏହି ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।ରାଜ୍ୟ କୃଷି ନିର୍ଦ୍ଦେଶକ ସମସ୍ତ ଜିଲାପାଳଙ୍କୁ ଏହି ଡାଟାବେସ୍‌ ପ୍ରସ୍ତୁତି ନିମନ୍ତେ ଆକ୍ସନ ପ୍ଲାନ୍‌ ଓ ଏସ୍‌ଓପି ଜାରି କରିଛନ୍ତି। ଏହି ଡାଟାବେସ୍‌ ପ୍ରସ୍ତୁତି ମାଧ୍ୟମରେ ଚାଷୀଙ୍କୁ ୟୁନିକ୍‌ ଆଇଡି ଜାରି କରି ସେମାନଙ୍କୁ ସିଧାସଳଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ଯୋଜନାର ଲାଭ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

କେବଳ ସେତିକି ନୁହେଁ, କେଉଁ ଚାଷୀ କେତେ ଚାଷଜମିର ମାଲିକ, ସେଥିରୁ କେତେ ଜଳସେଚିତ ଓ କେତେ ଅଣଜଳସେଚିତ, ତା’ର ତଥ୍ୟ ମଧ୍ୟ ସରକାର ଜାଣିପାରିବେ।ଫାର୍ମର ରେଜିଷ୍ଟ୍ରି କାର୍ଯ୍ୟ ରାଜ୍ୟର ସମସ୍ତ ଜିଲାରେ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୧ରୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ସବୁ ପଞ୍ଚାୟତରେ ଏକ ସ୍ବତନ୍ତ୍ର ଶିବିର ଆୟୋଜନ କରାଯିବ। ଯେଉଁ ଶିବିରରେ ୨ଜଣ ଲେଖାଏ ଗ୍ରାମ୍ୟ କୃଷି ସେବକ, ଜଣେ ରାଜସ୍ବ ନିରୀକ୍ଷକ ଉପସ୍ଥିତ ରହିବେ।

ଚାଷୀଙ୍କୁ ଶିବିର ପର୍ଯ୍ୟନ୍ତ ଆଣିବା ପାଇଁ ସ୍ଥାନୀୟ କୃଷକ ସାଥୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପ୍ରତ୍ୟେକ ଶିବିରର ତଦାରଖ ଦାୟିତ୍ୱରେ କୃଷି ଓଭରସିୟର,ବ୍ଲକ କୃଷି ଅଧିକାରୀ, ଅତିରିକ୍ତ ତହସିଲଦାର କିମ୍ବା ତହସିଲଦାରଙ୍କ ମଧ୍ୟରୁ ଜଣେ ରହିବେ। ଚାଷୀମାନେ ନିଜର ଆଧାର କାର୍ଡ, ମୋବାଇଲ ଫୋନ୍‌(ଆଧାର ଲିଙ୍କ ଥିବା), ଜମି ପଟ୍ଟା(ଭୂଲେଖରେ ଥିବା ରେକର୍ଡ) ଅବା ଖର୍ଦ୍ଦି ଦଲିଲ ଧରି ଶିବିରକୁ ଆସିବେ। ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ଏହି ଶିବିରରେ ପିଏମ-କିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା, କୃଷକ ଓଡ଼ିଶାର ହିତାଧିକାରୀଙ୍କ ପଞ୍ଜୀକରଣ ଶେଷ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *