ମିଛ କହୁଛନ୍ତି ନକଲି ଚାଷୀ, ଫାଇଦା ନେବାକୁ ଦେଉଛନ୍ତି କି ମିଛ ତଥ୍ୟ?

ଭୁବନେଶ୍ୱର: ଓଡ଼ିଶାରେ ୨.୭୩ ଲକ୍ଷ ଏମିତି ଚାଷ ପ୍ଲଟ୍‌ ଚିହ୍ନଟ ହୋଇଛି, ଯେଉଁଠି ବାସ୍ତବରେ ଚାଷ ହେଉନଥିଲେ ମଧ୍ୟ ରିପୋର୍ଟରେ ଚାଷ ହେଉଛି ବୋଲି ଦେଖାଯାଇଛି। ଏଥିରୁ ବାଲେଶ୍ବର ଜିଲ୍ଲାରେ ୪୯,୭୧୦ ଟି ଏବଂ ବରଗଡ଼ରେ ୩୮,୫୬୭ ଟି ନକଲି ପ୍ଲଟ୍‌ ଚିହ୍ନଟ ହୋଇଛି। ସମବାୟ ନିବନ୍ଧକ କାର୍ଯ୍ୟାଳୟ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଅନୁସାରେ ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ କଳାହାଣ୍ଡି ସମେତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ବହୁତ ସଂଖ୍ୟାରେ ଏଭଳି ନକଲି ପ୍ଲଟ୍‌ ଚିହ୍ନଟ ହୋଇଛି।

ରାଜ୍ୟ ସରକାର ଏହି ଅନିୟମ ପାଇଁ ସାଟେଲାଇଟ୍ ସର୍ଭେ ଜରିଆରେ ଅସଲି ଓ ନକଲି ଚାଷ ଜମି ଚିହ୍ନଟ କରୁଛି। ଏହି ସର୍ଭେ ପ୍ରକ୍ରିୟା ପୂର୍ବରୁ ଆରମ୍ଭ ହୋଇଛି, ଯାହା ମାଧ୍ୟମରେ ଧାନ ସଂଗ୍ରହରୁ ନକଲି ପ୍ଲଟ୍‌କୁ ବାଦ କରାଯାଉଛି। ଏଥିପାଇଁ ଏବେ ଚାଷ ପଞ୍ଜୀକରଣ ସମୟରେ ଭୁଲ ତଥ୍ୟ ଦେଇଥିବା ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି ଚାଲିଛି।

ଚାଷୀଙ୍କ କହିବା ଅନୁସାରେ, ଚକ ଓ ମେଜର ନେଇ ଅନେକ ସମୟ ଦ୍ବନ୍ଦ୍ବ ରହିଥାଏ। ଅନେକ ଚାଷୀ ଅଜାଣତରେ ଭୁଲ ତଥ୍ୟ ଦେଉଛନ୍ତି। ସାଟେଲାଇଟ୍ ସର୍ଭେ ତ୍ରୁଟିପୂର୍ଣ୍ଣ ଥିଲେ ତାହା ଅନ୍ୟ ଚିତ୍ର ପ୍ରସ୍ତୁତ କରିଥାଏ, ଯାହା ଫଳରେ ଅସଲି ଚାଷୀ ଧାନ ବିକ୍ରିରୁ ବାଦ ପଡ଼ି କ୍ଷତି ସହୁଛନ୍ତି। ଯୋଗାଣ ବିଭାଗ ଅନୁସାରେ ବୋନସ୍‌ ଯୋଜନା ଚାଲୁ ହେବା ପରେ ଧାନ ସଂଗ୍ରହର ମାତ୍ରା ବଢ଼ିଛି। ଚଳିତ ବର୍ଷ ରବି ଋତୁରେ ସମଗ୍ର ରାଜ୍ୟରୁ ୭୩.୪୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି। ଏଥିରୁ ବରଗଡ଼,କଳାହାଣ୍ଡି,ସମ୍ବଲପୁର,ବୌଦ୍ଧ, ଦେବଗଡ଼,ଝାରସୁଗୁଡା, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଅନ୍ୟତମ |

ତେବେ ଏହି ବୋନସ୍‌ ଅବସରରେ ଅନ୍ୟ ରାଜ୍ୟର ଧାନ ନକଲି ଚାଷୀଙ୍କ ମାଧ୍ୟମରେ ବିକ୍ରି ହେଉଛି ବୋଲି ଅଭିଯୋଗ ମିଳିଛି, ଯାହା ଦ୍ୱାରା ରାଜ୍ୟ ସରକାରଙ୍କ ରାଜସ୍ୱ କ୍ଷତି ହେଉଛି। ଏହା ଫଳରେ ପ୍ରକୃତ ଚାଷୀଙ୍କ ଅଧିକାର ବଞ୍ଚିତ ହେଉଛି।

Leave a Reply

Your email address will not be published. Required fields are marked *