ଶେଷରେ ଏଠି ଟାୟାର ବି ମିଳିଲା ନକଲି!

କଟକ: ତେଲ, ମସଲା, ମୋବିଲ, ସିମେଣ୍ଟ ପରେ ଏବେ ଟାୟାର ତିଆରିକୁ ନେଇ ବଡ଼ ଖୁଲାସା ହୋଇଛି । ହଁ ଆଜ୍ଞା ଆପଣ ଯେଉଁ ଅଞ୍ଚଳ କଥା ଭାବୁଛନ୍ତି ତାହା ହେଉଛି ଏହି ସ୍ଥାନ। ଯାହା କ ରୁ ଆରମ୍ଭ କରେ ଶେଷ ଅର୍ଥାତ କଟକ । ସହରର ଜଗତପୁର ଅଞ୍ଚଳରେ ଥିବା ଏକ କାରଖାନାରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଟାୟାର ଜବତ କରିଛି ପୁଲିସ। ବିରୁପା ବ୍ରିଜ ନିକଟରେ ଚାଲିଥିବା ଏହି ୟୁନିଟରୁ ବିପୁଳ ପରିମାଣର ଅଟୋ ଓ ସାଇକେଲ ଟାୟାର ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ଜଣାଶୁଣା ବ୍ରାଣ୍ଡ ନାଁରେ ଏହି ଟାୟାର ତିଆରି କରାଯାଉଥିଲା । ଏ ନେଇ ଅଭିଯୋଗ ହେବା ପରେ ନକଲି ଉତ୍ପାଦନ ୟୁନିଟର ମାଲିକଙ୍କୁ ଗିରଫ କରାଯାଇଛି।

ଜଗତପୁର ଥାନାର ଥାନା ଅଧିକାରୀମାନେ ସନ୍ଦିଗ୍ଧଙ୍କୁ ପଚରାଉଚରା କରି ବେଆଇନ କାର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛନ୍ତି। ଖୋଲା ବଜାରରେ ଜବତ ଟାୟାରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ସ୍ଥାନୀୟ ଅଞ୍ଚଳରେ ନକଲି ସାମଗ୍ରୀକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ ସତର୍କତା ବଢ଼ାଇବାର ଆବଶ୍ୟକତା ରହିଛି।

ଏହି ନକଲି ପ୍ରଡକ୍ସନ ୟୁନିଟର ମାଲିକ ଏଜେଣ୍ଟଙ୍କ ଜରିଆରେ ସାରା ଓଡ଼ିଶାରେ ନକଲି ଟାୟାର ବିକ୍ରି କରିବା ଆରମ୍ଭ କରିଥିଲେ। ସେ ସାଇକେଲ ଟାୟାରକୁ ମାତ୍ର ୧୨୦ ଟଙ୍କାରେ ବିକ୍ରି କରିଥିଲେ, ଯାହାର ମୂଲ୍ୟ ସାଧାରଣତଃ ପ୍ରାୟ ୩୫୦ ଟଙ୍କା ହୋଇଥାଏ । ଧୀରେ ଧୀରେ ଏହା ମୋ ନଜରକୁ ଆସିଲା ଏବଂ ମୁଁ ଏତଲା ଦେଇଥିଲି ବୋଲି ଅଭିଯୋଗକାରୀ କହିଛନ୍ତି।

ଅସଲ ଟାୟାରରେ କଂପାନିର ନାମ ଲେଖାଯାଇଛି। ନକଲି ଟାୟାରରେ କେବଳ ଷ୍ଟିକର ଲାଗିଥାଏ। ଏଥିସହ ଅସଲି ଟାୟାରରେ ଆମର ରେଜିଷ୍ଟ୍ରେସନ ନମ୍ବର ଓ ଟ୍ରେଡମାର୍କ ରହିଛି ବୋଲି ଅଭିଯୋଗକାରୀ କହିଛନ୍ତି।

ଗ୍ରାମାଞ୍ଚଳର ଗରିବ ଲୋକମାନେ ଶସ୍ତାରେ ଏହି ନକଲି ଟାୟାର କିଣୁଥିଲେ ମଧ୍ୟ ୭-୮ ଦିନ ପରେ କ୍ଷତି ସହିଥାନ୍ତି। ଏହା ଆମ ବଜାରକୁ ପ୍ରଭାବିତ କରିଛି ବୋଲି ଅଭିଯୋଗକାରୀ କହିଛନ୍ତି।

ଏତଲା ଆଧାରରେ ଆମେ ୟୁନିଟ୍ ଉପରେ ଚଢ଼ାଉ କରିଥିଲୁ। ଚଢ଼ାଉ ଶେଷ ହେବା ପରେ ଆମେ ଏସ୍ ପି ଓ ଡିସିପିଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବୁ। ଏହି ୟୁନିଟ୍ ମାଲିକଙ୍କୁ ଗିରଫ କରାଯାଇଛି ବୋଲି ଜଗତପୁର ଥାନା ଆଇଆଇସି କହିଛନ୍ତି।

Leave a Reply

Your email address will not be published. Required fields are marked *