ନକଲି ଦୂତାବାସ ଚଲେଇ ପାଖାପାଖି ୩୦୦ କୋଟିର ଦୁର୍ନୀତି

ନୂଆଦିଲ୍ଲୀ: ଗାଜିଆବାଦରେ ନକଲି ଦୂତାବାସ ଚଳାଇବା ଅଭିଯୋଗରେ ଗିରଫ ହର୍ଷବର୍ଦ୍ଧନ ଜୈନଙ୍କ ବିରୋଧରେ ତଦନ୍ତରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜୈନ ପ୍ରାୟ ୩୦୦ କୋଟି ଟଙ୍କାର ଦୁର୍ନୀତି, ୧୦ ବର୍ଷରେ ୧୬୨ ଥର ବିଦେଶ ଗସ୍ତ ଓ ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ଥିବା ସନ୍ଦେହ କରାଯାଉଛି। ଗତ ସପ୍ତାହରେ ଗାଜିଆବାଦର ଏକ ଭଡ଼ାଘରୁ ତାଙ୍କୁ ଗିରଫ କରାଯାଇଥିଲା। ଉତ୍ତରପ୍ରଦେଶ ସ୍ପେସାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ତଦନ୍ତରୁ ଜଣାପଡ଼ିଛି, ଜୈନ ଚାକିରି ରାକେଟ ଓ ହାଵାଲା ମାର୍ଗରେ ଟଙ୍କା କାରବାର କରୁଥିଲେ। ଚଢ଼ାଉ ବେଳେ ପୁଲିସ ନକଲି କୂଟନୈତିକ ନମ୍ବର ପ୍ଲେଟ୍, ନକଲି କାଗଜପତ୍ର, ୪ଟି କାର୍ ଓ ବିଳାସପୂର୍ଣ୍ଣ ଘଣ୍ଟା ଜବତ କରିଛି।

ଗାଜିଆବାଦର ଏକ ଦୁଇ ମହଲା କୋଠା ବାହାରେ ଲାଗିଥିବା ନାମଫଳକରେ ଲେଖାଥିଲା: ‘ଗ୍ରାଣ୍ଡ ଡଚି ଅଫ୍ ୱେଷ୍ଟାର୍କଟିକା’ ଓ ‘ଏଚ୍ଇ ଏଚ୍‌ଭି ଜୈନ, ସମ୍ମାନିତ କନ୍‌ସଲ୍’। ଏହି ସ୍ଥାନରେ ଭାରତ ଓ ୱେଷ୍ଟାର୍କଟିକାର ପତାକା ଲାଗିଥିଲା, ଯାହା ଆଣ୍ଟାର୍କଟିକାର ଏକ କ୍ଷୁଦ୍ରରାଷ୍ଟ୍ର ଅଟେ, କିନ୍ତୁ କୌଣସି ରାଷ୍ଟ୍ର ଏହାକୁ ସ୍ୱୀକୃତି ଦେଇନାହିଁ। ତଦନ୍ତ ଅନୁସାରେ, ହର୍ଷବର୍ଦ୍ଧନ ଜୈନ ଏହି ନକଲି ଦୂତାବାସକୁ ନେଟୱର୍କିଂ ଓ ଲୋକଙ୍କୁ ବିଦେଶରେ ଚାକିରିର ପ୍ରଲୋଭନ ଦେବା ପାଇଁ ବ୍ୟବହାର କରୁଥିଲେ। ୨୦୧୭ ରୁ ଏହା ଚାଲୁଥିବା ଜଣାପଡ଼ିଛି। ଜୈନ ଏହି କାର୍ଯ୍ୟକୁ ଜାରି ରଖିବା ପାଇଁ ଭଣ୍ଡାରା ଓ ବିଭିନ୍ନ ‘ଚାରିଟି ଇଭେଣ୍ଟ’ ଆୟୋଜନ କରୁଥିଲେ। ଯଦିଓ ସେ ୮ ବର୍ଷ ଧରି ଏହି ନକଲି ଦୂତାବାସ ଚଳାଉଥିଲେ, ଏହି କୋଠାଟି ସେ ମାତ୍ର ୬ ମାସ ପୂର୍ବେ ଭଡ଼ାରେ ନେଇଥିଲେ।

ପୁଲିସ ସେଠାରୁ ହର୍ଷବର୍ଦ୍ଧନ ଜୈନଙ୍କ ସହ ବିବାଦୀୟ ବାବା ଚନ୍ଦ୍ରସ୍ୱାମୀ ଓ ସାଉଦି ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ଅଦନାନ ଖାସୋଗିଙ୍କ ଫଟୋ ପାଇଛି। ୮୦ ଓ ୯୦ ଦଶକରେ ଚନ୍ଦ୍ରସ୍ୱାମୀ ଏତେ ପ୍ରଭାବଶାଳୀ ଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚନ୍ଦ୍ରଶେଖର ଓ ଭିପି ସିଂହଙ୍କ ଆଧ୍ୟାତ୍ମିକ ପରାମର୍ଶଦାତା ଭାବେ ପରିଚିତ ଥିଲେ। ୧୯୯୬ରେ ଆର୍ଥିକ ଅନିୟମିତତା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଆଶ୍ରମରେ ଚଢ଼ାଉ ବେଳେ ଖାସୋଗିଙ୍କ ସହ କାରବାରର ତଥ୍ୟ ପ୍ରକାଶ ପାଇଥିଲା। ଏହାଛଡ଼ା, ଚନ୍ଦ୍ରସ୍ୱାମୀଙ୍କ ବିରୋଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପାଇଁ ପାଣ୍ଠି ଯୋଗାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା।
ୟୁପି ଏସ୍‌ଟିଏଫ୍‌ ତଦନ୍ତରୁ ଜଣାପଡ଼ିଛି ଯେ, ଚନ୍ଦ୍ରସ୍ୱାମୀ ହର୍ଷବର୍ଦ୍ଧନ ଜୈନଙ୍କୁ ସାଉଦି ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ଅଦନାନ ଖାସୋଗି ଓ ଠକ ଅହସାନ ଅଲ୍ଲୀ ସୟଦଙ୍କ ସହ ପରିଚିତ କରାଇଥିଲେ। ସୟଦ ଜୈନଙ୍କ ସହ ମିଶି ୨୫ଟି ସେଲ୍ କମ୍ପାନି ଖୋଲି ପ୍ରାୟ ୩୦୦ କୋଟି ଟଙ୍କାର କାରବାର କରିଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦରେ ଜନ୍ମିତ ସୟଦ, ପରେ ତୁର୍କୀର ନାଗରିକ ହୋଇଥିଲେ। ସେ ସ୍ୱିଜରଲାଣ୍ଡରେ ‘ୱେଷ୍ଟର୍ଣ୍ଣ ଆଡଭାଇଜରୀ ଗ୍ରୁପ୍’ ନାମକ କମ୍ପାନି ଚଳାଉଥିଲେ, ଯାହା କମିସନ ବଦଳରେ କମ୍ପାନିଗୁଡ଼ିକୁ ଋଣ ଯୋଗାଇବାର ପ୍ରତିଶ୍ରୁତି ଦେଇ ୨୫ ନିୟୁତ ପାଉଣ୍ଡ ସଂଗ୍ରହ କରି ପଳାଇଥିବା ଅଭିଯୋଗ ରହିଛି। ୨୦୨୨ରେ ଲଣ୍ଡନରେ ସୟଦଙ୍କୁ ଗିରଫ କରାଯାଇଥିଲା। ଜୈନଙ୍କ ଏହି ଦୁର୍ନୀତିରେ ସମ୍ପୃକ୍ତି ଅଛି କି ନାହିଁ, ତାହା ପୁଲିସ ତଦନ୍ତ କରୁଛି।ୱେଷ୍ଟାର୍କଟିକାର ଦୂରେଇ ଯିବା
ଜୈନଙ୍କୁ ଗିରଫ ପରେ ୱେଷ୍ଟାର୍କଟିକା ତାଙ୍କଠାରୁ ନିଜକୁ ଦୂରେଇ ନେଇଛି। ୱେଷ୍ଟାର୍କଟିକା କହିଛି, ୨୦୧୬ରେ ଜୈନ ସଂଗଠନକୁ ବଡ଼ ଅଙ୍କରେ ଦାନ କରିଥିଲେ ଓ ପରେ ସ୍ୱେଚ୍ଛାସେବୀ ଦଳରେ ଯୋଗ ଦେଇଥିଲେ। ତାଙ୍କୁ ‘ଅନରାରୀ କନସଲ ଟୁ ଇଣ୍ଡିଆ’ ପଦବୀ ଦିଆଯାଇଥିଲା, କିନ୍ତୁ ‘ରାଷ୍ଟ୍ରଦୂତ’ ପଦ କିମ୍ବା କୂଟନୈତିକ ଅଧିକାର ଦିଆଯାଇ ନଥିଲା। ଜୈନ ନିଜ ଘରକୁ ‘ଦୂତାବାସ’ କହି ଓ ନକଲି କୂଟନୈତିକ ନମ୍ବର ପ୍ଲେଟ୍ ବ୍ୟବହାର କରି ୱେଷ୍ଟାର୍କଟିକାର ନିୟମ ଉଲ୍ଲଂଘନ କରିଛନ୍ତି। ଫଳରେ, ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରାଯାଇଛି। ୱେଷ୍ଟାର୍କଟିକା ଭାରତୀୟ ଆଇନ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ଜଣାଇଛି।

Leave a Reply

Your email address will not be published. Required fields are marked *