ଓଡ଼ିଶାର ପୂର୍ବତନ ରାଜ୍ୟପାଳ ବିଜେପିରେ ସାମିଲ

ରାଞ୍ଚି: ଝାଡ଼ଖଣ୍ଡରେ ପରାଜୟ ପରେ ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପୁଣି ଥରେ ବିଜେପିରେ ଯୋଗ ଦେଇଛନ୍ତି। ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ଶ୍ରୀ ଦାସ ପୁଣି ଥରେ ବିଜେପିରେ ସଦସ୍ୟତା ହାସଲ କରିଛନ୍ତି। ରଘୁବର ବିଜେପି ସଦସ୍ୟତା ନେଉଥିବା ବେଳେ ବିଜେପି କର୍ମୀମାନେ ‘ଆମେ ଫେରିଆସିବୁ’ ବୋଲି ସ୍ଲୋଗାନ ଦେଇଥିଲେ।

୨୦୨୦ ବିଧାନସଭା ନିର୍ବାଚନରେ ହାରିବା ପରେ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିରୁ ନିଜକୁ ଦୂରେଇ ନେଇଥିଲେ। ସେହି ବର୍ଷ ବିଜେପି ରଘୁବରଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ଦେଇ ଦିଲ୍ଲୀ ଡାକିଥିଲା। ୨୦୨୩ ମସିହାରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା।

ରଘୁବର ୨୦୨୪ ମଧ୍ୟଭାଗରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ଏବଂ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରୁ ଦୂରେଇ ରହିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଉଭୟ ନିର୍ବାଚନରେ ବିଜେପିକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ଲୋକସଭା ନିର୍ବାଚନରେ ବିଜେପି ୩ଟି ଆସନ ହରାଇଥିବା ବେଳେ ବିଧାନସଭା ନିର୍ବାଚନରେ ୫ଟି ଆସନ ହରାଇଛି।

ବିଧାନସଭା ନିର୍ବାଚନ ପରେ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିରେ ସକ୍ରିୟ ହେବାକୁ ଯାଉଛନ୍ତି। ଡିସେମ୍ବର ୨୦୨୪ରେ ରଘୁବର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ସେ ଭୁବନେଶ୍ୱରରୁ ସିଧାସଳଖ ରାଞ୍ଚିରେ ପହଞ୍ଚି ପୁଣି ଥରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଝାଡ଼ଖଣ୍ଡରେ ଭାରତୀୟ ଜନତା ପାର୍ଟିର ପରାଜୟର ଏକ ପ୍ରମୁଖ କାରଣ ଥିଲା ସଂଗଠନ ମଧ୍ୟରେ ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ। ପ୍ରାର୍ଥୀ ଘୋଷଣା ପରେ ପାଖାପାଖି ୧୦ରୁ ଅଧିକ ବିଦ୍ରୋହୀ ମୈଦାନକୁ ଓହ୍ଲାଇଥିଲେ।

ଏପରିକି ବିଜେପିର ବରିଷ୍ଠ ନେତା ବାବୁ ଲାଲ ମାରାଣ୍ଡି ଆସନରେ ବିଦ୍ରୋହୀ ନିରଞ୍ଜନ ରାୟ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ତାଙ୍କୁ ବୁଝାଇବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ନିଜେ ଧନୱାର ଯାଇଥିଲେ। ବୁଝାସୁଝା ସମୟରେ ଶର୍ମା ରାୟଙ୍କୁ ହେଲିକପ୍ଟରରେ ନେଇଯାଇଥିଲେ। ସହଯୋଗୀ ଏଜେଏସ୍ୟୁ ମଧ୍ୟ ସମନ୍ୱୟ ଅଭାବ ନେଇ ଅଭିଯୋଗ କରିଥିଲା। ସମନ୍ୱୟ ଅଭାବରୁ ଅନେକ ଆସନରେ କ୍ଷତି ହୋଇଛି ବୋଲି ଏଜେଏସୟୁ ଦାବି କରିଛି।

Leave a Reply

Your email address will not be published. Required fields are marked *