ସାଙ୍ଗରେ ଫଟୋ ଉଠାଇବା ବି ମନା! ବିଜେଡି ନେତାଙ୍କ ଦୟନୀୟ ଅବସ୍ଥା

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ପ୍ରଥା ନେଇ ଏବେ ଦଳୀୟ ନେତାମାନଙ୍କ ମନରେ ଅସନ୍ତୋଷ ଓ ସନ୍ଦେହ ସୃଷ୍ଟି ହୋଇଛି । ନବୀନ ପଟ୍ଟନାୟକଙ୍କ ସହ କେବଳ ଭି.କେ. ପାଣ୍ଡିଆନଙ୍କର ଫଟୋ ଉଠିବ ଏବଂ ସେହି ଫଟୋକୁ ମାତ୍ର ମିଡିଆ ଓ ସୋସିଆଲ୍ ମିଡିଆକୁ ଛାଡ଼ାଯିବ ବୋଲି ସୂଚନା ମିଳିଥିବାରୁ ଅନ୍ୟମାନେ ହୀନମନ୍ୟତାରେ ପଡ଼ୁଛନ୍ତି । ବିଜେଡିର ବିଭିନ୍ନ ନେତା ଯଦିଓ ନବୀନଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି, କିନ୍ତୁ ସେମାନଙ୍କୁ ସହଜରେ ଫଟୋ କିମ୍ବା ଭିଡିଓରେ ଦେଖାଯିବାକୁ ଦିଆଯାଉନାହିଁ । ଏହାକୁ ପୂରଣ କରିବାକୁ ସେମାନେ ବାହାରେ ହାତଧରାଧରି କିମ୍ବା ଭିଡିଓ ସୁଟ୍ କରିବାକୁ ବାଧ୍ୟ ହେଉଛନ୍ତି, ଯାହାକି ପରେ ପ୍ରଚାର ପାଇଁ ମିଡିଆରେ ଛାଡ଼ାଯାଉଛି ।

ସୋମବାର ସଂଧ୍ୟାରେ ବିଜେଡି ମିଡିଆ ସେଲ୍ ପକ୍ଷରୁ ଏକ ଫଟୋ ଏବଂ ଭିଡିଓ ଛାଡ଼ାଗଲା, ସେଠାରେ ବରିଷ୍ଠ ବିଧାୟକ ଅରୁଣ ସାହୁ ସହିତ ସୁକାନ୍ତ ନାୟକ, ରଘୁନାଥ ସାହୁ, ପ୍ରଫୁଲ୍ଲ ସିଂ, ମହମ୍ମଦ ସକିଲ ଓ ଲୋରା ମହାପାତ୍ରଙ୍କୁ ଦେଖିବାକୁ ମିଳିଲା । ହେଲେ ପ୍ରେସ୍ ନୋଟରେ ନାମ ଥିଲେମଧ୍ୟ ଚିରଞ୍ଜିବୀ ବିଶ୍ୱାଳ ଓ ଭୃଗୁ ବକ୍ସିପାତ୍ର ଫଟୋ କିମ୍ବା ଭିଡିଓରେ ନଥିଲେ । ସେହି ସମୟରେ ବରିଷ୍ଠ ନେତା ଅରୁଣ ସାହୁ ଏକ ବିବୃତି ଛାଡ଼ିଥିଲେ, ଯେଉଁଥିରେ ସେ କହିଥିଲେ ଯେ ସମସ୍ତେ ମିଳି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଏବଂ ଓଡ଼ିଶାର ସାମ୍ପ୍ରତିକ ରାଜନୀତିକ ପରିସ୍ଥିତି ନେଇ ପରାମର୍ଶ ପାଇଥିଲେ।

କିନ୍ତୁ ଅରୁଣଙ୍କର ଏହି କଥାରେ ଆତ୍ମବିଶ୍ୱାସ ରହିଲାନି। ସେ ଯେପରି ଲେଖା କାଗଜରୁ ଘୋଷି ପଢ଼ୁଥିବାଭଳି କହୁଥିଲେ, ତା’ରୁ ସନ୍ଦେହ ଉଠିଲା ଯେ ତାଙ୍କୁ ବାଧ୍ୟ କରାଯାଇଥିଲା କିନା । ଦଳର ଅନ୍ୟାନ୍ୟ ବରିଷ୍ଠ ନେତାଙ୍କୁ ଡାକାଯାଇନଥିବା ସତ୍ତେ କିଛି ସ୍ୱଳ୍ପ ପ୍ରଭାବୀ ମୁହଁମାନଙ୍କୁ କାହିଁକି ବାଛି ନବୀନ ନିବାସରେ ଆଲୋଚନା ପାଇଁ କାହିଁକି ଡାକାଗଲା, ଏହି ପ୍ରଶ୍ନରେ ଏବେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । ଏହି ସମୟରେ ନବୀନଙ୍କ ପାଇଁ ଭି.କେ. ପାଣ୍ଡିଆନଙ୍କ ଅପରିହାର୍ଯ୍ୟତା ପୁଣିଥରେ ସ୍ପଷ୍ଟ ହେଲା । ସମ୍ପ୍ରତି ନବୀନ ବାବୁଙ୍କ ଅସୁସ୍ଥତା ବେଳେ ପାଣ୍ଡିଆନଙ୍କୁ ନେଇ ଯୋଜନାବଦ୍ଧ ଭାବରେ ଭିଡିଓ ଛାଡ଼ାଯାଇଥିଲା । ନବୀନଙ୍କୁ ହସ୍ପିଟାଲରୁ ପାଣ୍ଡିଆନ ହାତଧରି ବାହାରୁଥିବା ଭିଡିଓ କିମ୍ବା ପ୍ରେମ ପଟ୍ଟନାୟକଙ୍କ ସହିତ ପାଣ୍ଡିଆନ ବସିଥିବା ଦୃଶ୍ୟ ସବୁରେ ସେହି ସନ୍ଦେଶ ରହିଥିଲା ଯେ ନବୀନଙ୍କୁ ପାଣ୍ଡିଆନ୍‌କୁ ଛାଡ଼ି ଭାବିହେବା ଯାଏନି । କିନ୍ତୁ ବିଜେଡିର ୯୫% ନେତାଙ୍କ ମତରେ, ପାଣ୍ଡିଆନଙ୍କୁ ଗ୍ରହଣ କରିବା ସମ୍ଭବ ନୁହେଁ । ପଛଲା ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ପ୍ରମୁଖ କାରଣ ସେଇ, ତାଙ୍କ ପାଇଁ ନବୀନଙ୍କର କ୍ୟାରିୟର କ୍ଷତିଗ୍ରସ୍ତ ହେଲା ବୋଲି ସେମାନଙ୍କ ଦାବି । ଏହି ଅସନ୍ତୋଷ ଦଳରେ ଖୋଲାଖୋଲି ଆକାର ନେବାରୁ ବିଜେଡିର ଅବସ୍ଥା ଦିନକୁ ଦିନ ଚିନ୍ତାଜନକ ହେଉଛି । ଏପରି ସମୟରେ ବରିଷ୍ଠ ନେତା ଓ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ସବୁଙ୍କର ନଜର । ସେ ସାହିତ୍ୟ ଓ ସାମ୍ବାଦିକତାର ପ୍ଲାଟଫର୍ମରୁ ଖୋଲାମେଳା ଭାବରେ ସତ କହିବାର ଦମ୍ଭ ମାରୁଥିବାବେଳେ, ଗତକାଲି ସଂଧ୍ୟାରେ ସେଇ ନବୀନ ନିବାସ ବାହାରେ ଦେଖାଯାଇଥିବା ଦଳରେ ନୂଆ ସମୀକରଣ, ସନ୍ଦେହ ଓ ଅସ୍ଥିରତାକୁ ପ୍ରକାଶ କରିଦେଲା ।

Leave a Reply

Your email address will not be published. Required fields are marked *