ହାତୀ ଦିବସ: ମହାନଦୀ ଓ ସମ୍ବଲପୁରରେ ନୂଆ ସଂରକ୍ଷଣ ଯୋଜନା

ଭୁବନେଶ୍ବର: ଡ଼ିଶାର ଜଙ୍ଗଲ ଅଞ୍ଚଳରେ ସର୍ବାଧିକ ୧,୮୦୦ ହାତୀ ରହିବାର କ୍ଷମତା ରହିଛି, କିନ୍ତୁ ୨୦୨୪ ହାତୀ ଗଣନା ଅନୁସାରେ ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ବନ ଡିଭିଜନରେ ୨,୦୯୮ ହାତୀ ରହୁଛନ୍ତି। ଅର୍ଥାତ୍‌, ଆବଶ୍ୟକତାଠାରୁ ୩୦୦ରୁ ଅଧିକ ହାତୀ ଚଳପ୍ରଚଳ କରୁଛନ୍ତି। ଏହି ହାତୀଙ୍କ ମଧ୍ୟରେ ୧,୦୩୦ଟି ସ୍ତ୍ରୀ, ୪୭୪ଟି ପୁରୁଷ ଓ ୫୯୪ଟି ଛୁଆ ହାତୀ ଅଛନ୍ତି। ଅନେକ ଅଞ୍ଚଳରେ ହାତୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି। ଅନୁଗୁଳ, ଆଠଗଡ଼, ଢେଙ୍କାନାଳ, ବାରିପଦା, ଚନ୍ଦକା, ଖୋର୍ଦ୍ଧା, ବଣାଇ ଓ କେନ୍ଦୁଝର ଡିଭିଜନ୍‌ରେ ହାତୀଙ୍କ ସଂଖ୍ୟା ବଢ଼ିଛି। ତଥାପି ଶିମିଳିପାଳ ଉତ୍ତର, ଶିମିଳିପାଳ ଦକ୍ଷିଣ, ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନ, ରାଇରଙ୍ଗପୁର, ବଲାଙ୍ଗୀର ଓ ପାରଳାଖେମୁଣ୍ଡି ଭଳି ଅଞ୍ଚଳରେ ହାତୀଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି।

ଏସୀୟ ପ୍ରକୃତିକ ସଂରକ୍ଷଣ ଫାଉଣ୍ଡେସନ୍‌ (ଏଏନ୍‌ସିଏଫ୍‌) ଅଧ୍ୟୟନ ଅନୁସାରେ, ୧୭୦୦ରୁ ୧୮୦୦ ହାତୀ ରହିପାରିବେ। ଭାରତର ପୂର୍ବ-କେନ୍ଦ୍ରୀୟ ଭୂଖଣ୍ଡ ମଧ୍ୟରେ ଏସୀୟ ହାତୀଙ୍କ ପାଇଁ ଓଡ଼ିଶା ଏକ ପ୍ରମୁଖ ବାସସ୍ଥଳ ପାଲଟିଛି। ଏହି ଅଞ୍ଚଳର ହାତୀ ସଂଖ୍ୟାର ୬୩% ଏବଂ ଜାତୀୟ ମୋଟ ହାତୀ ସଂଖ୍ୟାର ୬.୬% ଓଡ଼ିଶାରେ ବାସ କରନ୍ତି। ୨୦୧୭ ହାତୀ ଗଣନା ଅନୁଯାୟୀ ଓଡ଼ିଶାରେ ୧୯୩୮ ହାତୀ ଥିଲେ। ସେମାନେ ରାଜ୍ୟର ତିନୋଟି ହାତୀ ସଂରକ୍ଷଣ ଓ ଅଧିକାଂଶ ସଂରକ୍ଷିତ ଅଞ୍ଚଳରେ ରହୁଛନ୍ତି। ତିନୋଟି ଅଧିସୂଚିତ ହାତୀ ସଂରକ୍ଷଣ(ଏଲିଫ୍ୟାଣ୍ଟ ରିଜର୍ଭର/ଇଆର୍‌) ଯଥା ମହାନଦୀ, ମୟୂରଭଞ୍ଜ ଓ ସମ୍ବଲପୁର ଇଆର ଅଞ୍ଚଳର କ୍ଷେତ୍ରଫଳ ୮,୫୦୮.୯୫ ବର୍ଗ କିଲୋମିଟର ରହିଛି। ଏଥିସହ ମହାନଦୀ ଓ ସମ୍ବଲପୁର ହାତୀ ସଂରକ୍ଷଣ ଅଞ୍ଚଳରେ ଆଉ ୨,୫୧୩.୩୬ ବର୍ଗ କିମି ଯୋଡ଼ିବାକୁ ଯୋଜନା ରହିଛି। ମୋଟ ହାତୀ ସଂଖ୍ୟାର ପ୍ରାୟ ୨୮% ଅର୍ଥାତ୍‌ ପ୍ରାୟ ୫୮୪ ହାତୀ ଏଲିଫ୍ୟାଣ୍ଟ ରିଜର୍ଭର(ଇଆର) ନେଟ୍‌ୱାର୍କରେ ବାସ କରନ୍ତି।

୧୪ଟି ହାତୀ କରିଡର ଚିହ୍ନଟ ହୋଇଛି, ଯାହା ହାତୀଙ୍କ ଚଳପ୍ରଚଳ ଓ ଜେନେଟିକ୍ ବିବିଧତା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି କରିଡରଗୁଡ଼ିକ ଜଙ୍ଗଲ ଉପରେ ଚାପ ହ୍ରାସ କରିବା ସହ ହାତୀଙ୍କ ଜୀବନରେଖା ଭାବେ କାମ କରେ। ଅବସରପ୍ରାପ୍ତ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି, “ହାତୀଙ୍କ ଜନ୍ମ ନିୟନ୍ତ୍ରଣ ଓ ସବ୍‌-ଆଡଲଟ୍‌ ହାତୀଙ୍କୁ କ୍ୟାମ୍ପକୁ ସ୍ଥାନାନ୍ତର କରିବା ଆବଶ୍ୟକ।” ଏହା ସହିତ, ୧୪ଟି କରିଡରର ପୁନରୁଦ୍ଧାର ଓ ସୁରକ୍ଷା ଜରୁରୀ। ପ୍ରତିବର୍ଷ ହାରାହାରି ୮୦ରୁ ୮୫ଟି ହାତୀଙ୍କ ମୃତ୍ୟୁ ହେଉଥିଲେ ମଧ୍ୟ ତାହାର ପ୍ରଭାବ ହାତୀଙ୍କ ସଂଖ୍ୟା ହ୍ରାସ ଉପରେ କୌଣସି ପ୍ରଭାବ ପକାଇ ପାରି ନାହିଁ। ବରଂ ବର୍ଷକୁ ବର୍ଷ ସଂଖ୍ୟା ବଢ଼ୁଛି।

ଭୁବନେଶ୍ବରରେ ଅନୁଷ୍ଠିତ ବନ ଅଧିକାରୀଙ୍କ ସମ୍ମିଳନୀରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି, “ପ୍ରତିଦିନ ହାତୀ-ମଣିଷ ସଂଘର୍ଷର ଖବର ଆସୁଛି। ଓଡ଼ିଶାର ଭିତ୍ତିଭୂମିରେ ୧,୮୦୦ ହାତୀ ରହିପାରିବେ, କିନ୍ତୁ ୩୦୦ରୁ ଅଧିକ ହାତୀ ଅଛନ୍ତି। ବାହାର ରାଜ୍ୟରୁ ହାତୀ ପ୍ରବେଶ ମଧ୍ୟ ସମସ୍ୟା ସୃଷ୍ଟି କରୁଛି।” ସେ ଏଆଇ କ୍ୟାମେରା, ଡ୍ରୋନ୍‌ ଓ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ସହ ରାସ୍ତା, ରେଳ ଓ ଶିଳ୍ପାନୁଷ୍ଠାନ ନିର୍ମାଣ ସମୟରେ ହାତୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି।

 

 

Leave a Reply

Your email address will not be published. Required fields are marked *