ବିଜେପି ସହ ମିଶି କାମ କରୁଛନ୍ତି ନିର୍ବାଚନ କମିଶନ: ରାହୁଲ

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିକଟରେ ହୋଇଥିବା ନିର୍ବାଚନଗୁଡ଼ିକର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି | ସେ କହିଛନ୍ତି ଯେ ନିର୍ବାଚନ କମିସନ (ଇସି) ପକ୍ଷପାତ କରୁଛନ୍ତି | ଇସିଙ୍କୁ ଟାର୍ଗେଟ କରି ରାହୁଲ ଅଭିଯୋଗ କରିଛନ୍ତି ଯେ ନିର୍ବାଚନୀ ସଂସ୍ଥା ଦେଶରେ ‘ନିର୍ବାଚନ ଚୋରି’ କରିବା ପାଇଁ ବିଜେପି ସହିତ ଏକାଠି କାମ କରୁଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀ‌ରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାରେ ନକଲି ଭୋଟରଙ୍କୁ ଯୋଡ଼ାଯାଉଛି। ରାହୁଲ ତାଙ୍କର ଏହି ମତକୁ ପ୍ରମାଣ କରିବାକୁ ଉଦ୍ୟମ କରି କର୍ଣ୍ଣାଟକର ଭୋଟର ତାଲିକା ଦେଖାଇଛନ୍ତି। ରାହୁଲ ଦାବି କରିଛନ୍ତି ଯେ ବେଙ୍ଗାଲୁରୁ କେନ୍ଦ୍ରୀୟ ଲୋକସଭା ଆସନର ମହାଦେବପୁରା ବିଧାନସଭା କ୍ଷେତ୍ରରେ ‘ଭୟଙ୍କର ଚୋରି’ (ବ୍ୟାପକ ପରିମାଣର ଭୋଟ ଚୋରି) ହୋଇଛି। ରାହୁଲ ଦାବି କରିଛନ୍ତି ମହାଦେବପୁରା ବିଧାନସଭା କ୍ଷେତ୍ରର ୬.୫ ଲକ୍ଷ ଭୋଟ ମଧ୍ୟରୁ ୧ ଲକ୍ଷରୁ ଅଧିକ ଭୋଟ ‌ଚୋରି ହୋଇଥିଲା।

ମହାଦେବପୁରା ନିର୍ବାଚନମଣ୍ଡଳୀରେ ଏକ ଲକ୍ଷରୁ ଅଧିକ ନକଲି ଭୋଟର, ଅବୈଧ ଠିକଣା, ବହୁ ଭୋଟର ମିଳିଥିବା ‌ରାହୁଲ ଦାବି କରିଛନ୍ତି। ତେବେ ନିର୍ବାଚନ କମିସନ ଏଭଳି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବା ସହ ମିଥ୍ୟା ଓ ବିଭ୍ରାନ୍ତିକର ଅଭିଯୋଗରୁ ଦୂରେଇ ରହିବାକୁ କହିଛନ୍ତି। ରାହୁଲ ଲୋକଙ୍କୁ ବିଭ୍ରାନ୍ତ କରିବା ଏବଂ ଭିତ୍ତିହୀନ ଅଭିଯୋଗ ଆଣିବା ବନ୍ଦ କରନ୍ତୁ। ବାରମ୍ବାର ଭୋଟ ଚୋରି ଅଭିଯୋଗ ଆଣି କଂଗ୍ରେସ ସାଂସଦ ନିର୍ବାଚନ କମିସନଙ୍କୁ ଟାର୍ଗେଟ୍‌ କରୁଛନ୍ତି। କିନ୍ତୁ କୌଣସି ବିଶ୍ବସନୀୟ ପ୍ରମାଣ ଦେଖାଇବାରେ ସମର୍ଥ ହୋଇନାହାନ୍ତି ବୋଲି କମିସନ କହିଛନ୍ତି।

Leave a Reply

Your email address will not be published. Required fields are marked *