ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଓଡ଼ିଶାରେ ଲାଗିବ ୭୫ ଲକ୍ଷ ଗଛ
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ତମ ଜନ୍ମଦିନ। ଏହି ଅବସରରେ ଓଡ଼ିଶାରେ ଗୋଟିଏ ଦିନରେ ରେକର୍ଡ ୭୫ ଲକ୍ଷ ଗଛ ଲଗାଯିବ। ଏହା ହେବ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାବାସୀଙ୍କ ଉପହାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ‘ଏକ୍ ପେଡ଼୍ ମା କେ ନାମ୍’ ଅଭିଯାନର ଏକ ବୈଠକରେ ଏହି ଘୋଷଣା କରିଛନ୍ତି।
‘ଏକ୍ ପେଡ଼୍ ମା କେ ନା
ମ୍’ ଅଭିଯାନ ଗତ ବର୍ଷ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ। ଚଳିତ ବର୍ଷ ଜୁନ୍ ୫ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହାର ଦ୍ୱିତୀୟ ସଂସ୍କରଣ ‘ଏକ୍ ପେଡ଼୍ ମା କେ ନାମ୍ ୨.୦’ ଚାଲିବ। ରାଜ୍ୟ ସରକାର ଏହି ଅଭିଯାନରେ ୭.୫ କୋଟି ଗଛ ଲଗାଇବାର ଲକ୍ଷ୍ୟ ରଖିଛନ୍ତି। ଗତ ବର୍ଷ ଓଡ଼ିଶା ୬.୭୨ କୋଟି ଗଛ ଲଗାଇ ଦେଶରେ ଚତୁର୍ଥ ସ୍ଥାନ ପାଇଥିଲା। ଏଥର ୭୫ ଲକ୍ଷ ଗଛ ଗୋଟିଏ ଦିନରେ ଲଗାଇ ରେକର୍ଡ କରିବାକୁ ଯୋଜନା ହେଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅଭିଯାନ ଏକ ଜନଆନ୍ଦୋଳନ ହୋଇଛି। ଜଙ୍ଗଲ ଓ କୃଷି ବିଭାଗ ମୁଖ୍ୟ ଦାୟିତ୍ୱ ନେବେ, କିନ୍ତୁ ସମସ୍ତେ ମିଶି ଏହାକୁ ସଫଳ କରିବା ଦରକାର। ସରକାରୀ ବିଭାଗ, ସ୍କୁଲ, କଲେଜ, ପଞ୍ଚାୟତ, ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବସଂଘ, ଏନଜିଓ ଓ ସ୍ୱେଚ୍ଛାସେବୀମାନେ ଏଥିରେ ସାମିଲ ହେବେ। ପରିବେଶ ସୁରକ୍ଷା ପାଇଁ ଏହାକୁ ଜନଆନ୍ଦୋଳନ କରିବାକୁ ମୁଖ୍ୟମନ୍ତ୍ରୀ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ବ୍ୟାପକ ପ୍ରଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗଛ ଲଗାଇବା ସହ ସେଗୁଡ଼ିକର ଯତ୍ନ ନେବା ମଧ୍ୟ ଜରୁରୀ। ନିମ୍ବ, କରଞ୍ଜ, ତେନ୍ତୁଳି, ପଣସ, ଜାମୁ, ଅଁଳା ଭଳି ଗଛ ଲଗାଯିବ। ଗଛ ରୋପଣର ଫଟୋ ଓ ତଥ୍ୟ ‘ମେରି ଲାଇଫ୍’ ପୋର୍ଟାଲରେ ଅପଲୋଡ କରାଯିବ। ଗ୍ରାମାଞ୍ଚଳରେ ପଞ୍ଚାୟତ ଅଧିକାରୀମାନେ ଏହାର ତଦାରଖ କରିବେ। ଭଲ କାମ ପାଇଁ ବ୍ୟକ୍ତି ଓ ଗୋଷ୍ଠୀକୁ ପୁରସ୍କାର ଦିଆଯିବ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଯେଉଁ ଅଞ୍ଚଳରେ ଯେଉଁ ଫଳଦାୟୀ ଗଛ ଭଲ ହୁଏ, ସେହି ଚାରା ଲୋକଙ୍କୁ ଦିଆଯିବ।
