ମଦ ଦୁର୍ନୀତି ମାମଲାରେ ଇଡ଼ିର ବଡ଼ ରେଡ୍

ରାୟପୁର: ପୁଣି ଘାଣ୍ଟିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ପୂର୍ବତନ ଅବକାରୀ ମନ୍ତ୍ରୀ ତଥା କୋଣ୍ଟାର କଂଗ୍ରେସ ବିଧାୟକ କାୱାସୀ ଲଖମାଙ୍କ ପାଇଁ ସମସ୍ୟା ବଢିଛି । ଛତିଶଗଡ଼ ମଦ ଦୁର୍ନୀତିରେ ଇଡି ୭ଟି ସ୍ଥାନରେ ଚଢ଼ାଉ କରିଛି। ଏହାବ୍ୟତୀତ କୱାସୀ ଲଖମାଙ୍କ ଘର ସମେତ ୪ଟି ସ୍ଥାନରେ ଇଡି ଚଢ଼ାଉ କରିଛି। ଛତିଶଗଡ଼ ମଦ ଦୁର୍ନୀତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି।
ଲଖମା ଛତିଶଗଡର ଅବକାରୀ ମନ୍ତ୍ରୀ ଥିବା ବେଳେ ତାଙ୍କୁ ମାସିକ ୨ କୋଟି ଟଙ୍କା ବେଆଇନ୍ ଭାବେ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତି ସଂକ୍ରାନ୍ତରେ ପୂର୍ବତନ ମନ୍ତ୍ରୀଙ୍କ ଘରେ ଏହା ହେଉଛି ଦ୍ୱିତୀୟ ରେଡ୍।
ପୂର୍ବରୁ ମଦ ଦୁର୍ନୀତି ମାମଲାକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ସରକାର ଏହାର ଅଧିକ ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିଛନ୍ତି। ସିବିଆଇ ତଦନ୍ତ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଏଫଏଲ-୧୦ ଲାଇସେନ୍ସ ବ୍ୟବସ୍ଥା ଯୋଗୁଁ ପୂର୍ବ ସରକାରରେ ପ୍ରାୟ ୨୨୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଏବେର ସରକାର ଅଭିଯୋଗ କରିଛନ୍ତି। ଏପର୍ଯ୍ୟନ୍ତ ଏସିବି ଓ ଇଡି ଘଟଣାର ତଦନ୍ତ କରୁଥିଲେ।
୨୦୧୯ରୁ ୨୦୨୨ ମଧ୍ୟରେ ଏହି ମଦ ଦୁର୍ନୀତି ହୋଇଥିବା ଇଡି କହିଛି। ବିଭିନ୍ନ ପର୍ଯ୍ୟାୟରେ ଏହି ଦୁର୍ନୀତି କରାଯାଇଥିଲା। ପ୍ରଥମେ ମଦ କିଣିବା ପାଇଁ ଡିଷ୍ଟିଲରଙ୍କଠାରୁ ଲାଞ୍ଚ ନିଆଯାଇଥିଲା। ଏହାପରେ ବେଆଇନ ଭାବେ ଦେଶୀ ମଦ ବିକ୍ରି ହୋଇଥିଲା, ଯାହାର ବିକ୍ରି ବହିରେ ଲିପିବଦ୍ଧ ହୋଇନଥିଲା।
ଫଳରେ ରାଜ୍ୟକୁ ରାଜସ୍ୱ ମଧ୍ୟ ମିଳିନଥିଲା। ଏହି ଦୁର୍ନୀତିର କମିଶନ ଅଂଶରେ ଡିଷ୍ଟିଲରମାନଙ୍କଠାରୁ ଲାଞ୍ଚ ନେବା ମଧ୍ୟ ସାମିଲ ଥିଲା ଯାହା ଦ୍ୱାରା ସେମାନେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବଜାର ଅଂଶ ପାଇପାରିବେ ଏବଂ ବିଦେଶୀ ମଦ ବିକ୍ରିରୁ ଲାଭ ପାଇପାରିବେ ।