ଇୟରବଡ୍ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର: ସବୁବେଳେ କାନରେ ଇୟରବଡ଼ ଲଗାଉଥିଲେ ଆପଣ ବି ହରାଇପାରନ୍ତି ଶୁଣିବାର କ୍ଷମତା | ଡାକ୍ତରଙ୍କ କହିବା ଅନୁସାରେ ଇୟରବଡ଼ ଓ ହେଡଫୋନ ଶବ୍ଦକୁ ସିଧା କାନ ଭିତରକୁ ପଠାଏ | ଯଦି ଅଧିକ ସମୟ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରାଯିବ ତେବେ ଶୁଣିବା ଶକ୍ତି କିଛି ସମୟ ପାଇଁ ନଚେତ ଜୀବନ ସାରା ଚାଲିଯାଇପାରେ | ଏହାଦ୍ୱାରା କାନ ଭିତରେ ଥିବା ସୂକ୍ଷ୍ମ କୋଷ ଗୁଡିକ ଖରାପ ହୋଇଯାଏ | ଏହି କୋଷ କାନରୁ ମସ୍ତିଷ୍କକୁ ସିଧାସଳଖ ଖବର ପଠାଏ | ଯଦି ଏହି କୋଷ ଖରାପ କି ନଷ୍ଟ ହୋଇଯାଏ ତେବେ ଏହା ପୁନଶ୍ଚ ସୃଷ୍ଟି ହୋଇପାରେ ନାହିଁ | ଏହାକୁ ଡାକ୍ତରୀ ଭାଷାରେ “sensori neurol hearing loss” କୁହାଯାଏ | ଏକ୍ସପର୍ଟଙ୍କ କହିବା ଅନୁସାରେ ଇୟରବଡ଼ ଭଳି ଯନ୍ତ୍ର ୧୦୦ ଡେସିବେଲ ପର୍ଯ୍ୟନ୍ତ ଶବ୍ଦ ସୃଷ୍ଟି କରିପାରେ ଯାହାକି କାର, ମୋଟରସାଇକେଲ ଶବ୍ଦ ସହ ସମାନ | ପ୍ରତିଦିନ ୮୫ ଡେସିବେଲଠାରୁ ଅଧିକ ଶବ୍ଦ ଶୁଣିବା ଦ୍ୱାରା ଆମ ଶୁଣିବାର କ୍ଷମତା ନଷ୍ଟ ହୋଇପାରେ | ଡାକ୍ତରୀ ରିପୋର୍ଟ ଅନୁସାରେ ୧୨ବର୍ଷ ରୁ ୨୪ବର୍ଷ ପର୍ଯ୍ୟନ୍ତ ପ୍ରାୟ ୨୪% ଲୋକ ଅଧିକ ଜୋର ରେ ଶବ୍ଦ ଶୁଣିବା ହେତୁ ସେମାନଙ୍କ ଶୁଣିବା ଶକ୍ତି ହ୍ରାସ ପାଉଛି | ଏହାକୁ ନେଇ ପ୍ରସିଦ୍ଧ ମେକଅପ୍ ଆର୍ଟିଷ୍ଟ ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆରୁଷି ଓସଵାଲଙ୍କ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଆରୁଷି ନିକଟରେ ଜଣାଇଛନ୍ତି ଯେ, ଦୀର୍ଘ ସମୟ ଧରି ଇୟରବଡ୍ ବ୍ୟବହାର କରିବା ଯୋଗୁଁ ତାଙ୍କର ବାମ କାନର ୪୫% ଶ୍ରବଣଶକ୍ତି ହ୍ରାସ ପାଇଛି। ଏହି ଘଟଣା ତାଙ୍କ ଇନଷ୍ଟାଗ୍ରାମ ରିଲ୍ସ ମାଧ୍ୟମରେ ଚର୍ଚ୍ଚାକୁ ଆସିଛି, ଯେଉଁଠାରେ ସେ ନିଜର ଅଭିଜ୍ଞତା ଏବଂ ସତର୍କତା ବାର୍ତ୍ତା ସେୟାର କରିଛନ୍ତି।
ଆରୁଷି କହିଛନ୍ତି ଯେ, ଘଣ୍ଟା ଘଣ୍ଟା ଧରି ଇୟରବଡ୍ ବ୍ୟବହାର କରିବା ଫଳରେ ତାଙ୍କ କାନରେ ସମସ୍ୟା ଦେଖାଦେଇଥିଲା। ଡାକ୍ତରମାନେ ତାଙ୍କୁ ଶକ୍ତିଶାଳୀ ଔଷଧ ଏବଂ କାନରେ ଷ୍ଟେରଏଡ୍ ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦେଇଛନ୍ତି। ଏକ ସପ୍ତାହ ଚିକିତ୍ସା ପରେ ତାଙ୍କ ଶ୍ରବଣଶକ୍ତିରେ କିଛି ଉନ୍ନତି ହୋଇଛି, କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଏକ ଦୀର୍ଘ ଚିକିତ୍ସା ଆବଶ୍ୟକ ବୋଲି ଜଣାଇଛନ୍ତି।
ଏହି ଅଭିଜ୍ଞତା ସେୟାର କରି ଆରୁଷି ସୋସିଆଲ ମିଡିଆରେ ସମସ୍ତଙ୍କୁ ସତର୍କ କରିଛନ୍ତି। ସେ ପରାମର୍ଶ ଦେଇଛନ୍ତି ଯେ, ଇୟରବଡ୍ ବା ଅନ୍ୟାନ୍ୟ ଇୟରଫୋନ୍ ବ୍ୟବହାର କରୁଥିବା ଲୋକମାନେ ଏହାକୁ ସୀମିତ ସମୟ ପାଇଁ ଏବଂ କମ ଭଲ୍ୟୁମରେ ବ୍ୟବହାର କରନ୍ତୁ। ଅଧିକ ସମୟ ଧରି ଉଚ୍ଚ ଶବ୍ଦରେ ଇୟରଫୋନ୍ ବ୍ୟବହାର କରିବା ଶ୍ରବଣଶକ୍ତି ଉପରେ ଗମ୍ଭୀର ପ୍ରଭାବ ପକାଇପାରେ।

Leave a Reply

Your email address will not be published. Required fields are marked *