ଆନନ୍ଦବଜାରରେ ଲାଗୁ ହେବ ଡ୍ରେସ୍କୋଡ୍

ଏଣିକି ଆନନ୍ଦବଜାର ପାଇଁ ଲାଗୁ ହେବ ଡ୍ରେସ୍କୋଡ୍ । ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ ସହାୟକମାନେ ପିନ୍ଧିବେ ଗେରୁଆ ରଙ୍ଗର ପୋଷାକ । ଶ୍ରୀମନ୍ଦିର ପ୍ରଶାସନର ସ୍ୱୀକୃତି ମିଳିବା ପରେ ସୁଆ ମହାସୁଆର ନିଯୋଗ ଆନନ୍ଦଜାର କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ଆସନ୍ତା ୨୫ ତାରିଖକୁ ଏହି ନିୟମ ଲାଗୁ ହେବ ଏବଂ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଆନନ୍ଦ ବଜାର ଆସିବେ ।
ସେପଟେ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଏକ ଅନୁଧ୍ୟାନ କମିଟି ଗଠନ କରାଯାଇଛି । ତଦାରଖ ଓ ବିଶୃଙ୍ଖଳା ରୋକିବାକୁ ୨୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ପର୍ଯ୍ୟାୟକ୍ରମେ ୮ ଘଣ୍ଟିଆ ଡ୍ୟୁଟି କରୁଛନ୍ତି । ଏହାସହ ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ କ୍ଷେତ୍ରରେ ବି କଟକଣା ଲଗାଯାଇଛି । ଦୋକାନ ମାଲିକଙ୍କ ବ୍ୟତୀତ ଅନ୍ୟ କେହି ମହାପ୍ରସାଦ ଦୋକାନ ଚଳାଇ ପାରିବେନି ବୋଲି ବାଧ୍ୟତାମୂଳକ କରାଯାଇଛି । ଅନ୍ନ ମହାପ୍ରସାଦ ଓ ଶୁଖିଲା ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କୁ ସହାୟତା ପାଇଁ ଜଣେ ଲେଖାଏଁ ସହାୟକ ରଖିବାକୁ ଅନୁମତି ପ୍ରଦାନ କରାଯାଇଛି ।