ଭୁବନେଶ୍ୱରରେ ମଦ୍ୟପ ଯୁବତୀ ଓ ତାଙ୍କ ବନ୍ଧୁଙ୍କ ଉତ୍ପାତ
- ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମେ’ ଫେୟାର ହୋଟେଲ ନିକଟରେ ମଦ୍ୟପାନ କରି ଉତ୍ପାତ ମଚାଇଥିବା ତିନି ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ସ୍ଥାନୀୟ ଲୋକେ ଅଟକାଇ ପୁଲିସ ହାତରେ ସମର୍ପଣ କରିଛନ୍ତି। ମଙ୍ଗଳବାର ରାତିରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତମାନେ ମାତ୍ରାଧିକ ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚଳାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇଥିଲେ। ଏହାପରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହେବାରୁ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଥାନାକୁ ଉଠାଇ ଆଣିଥିଲା।
ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ମାତ୍ରାଧିକ ମଦ୍ୟପାନ କରିଥିବା ଜଣାପଡ଼ିଛି। ନୟାପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ଗାଡ଼ିକୁ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଛି।
