ଦେଶରେ ବର୍ଷାର ଡବଲ ମାଡ୍, ତାୱୀ ନଦୀରେ ୧୨ ଘଣ୍ଟାରେ ବ୍ରିଜ୍ ପୁନଃନିର୍ମାଣ କଲା ସେନା
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବର୍ଷାର ଡବଲ ମାଡ୍ରେ ଲୋକମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି। ମୌସୁମୀ ବର୍ଷା ସହିତ ଲଘୁଚାପର ପ୍ରଭାବରେ ଦେଶର ଅଧିକାଂଶ ରାଜ୍ୟର ସ୍ଥିତି ବେହାଲ ହୋଇପଡ଼ିଛି। ବିଶେଷତଃ ଉତ୍ତର ଓ ଉତ୍ତରପୂର୍ବ ଭାରତର ଅବସ୍ଥା ଅଧିକ ସଂଗୀନ ହେବାରେ ଲାଗିଛି। ଜମ୍ମୁକାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ସହିତ ମୁମ୍ବାଇ ପର୍ଯ୍ୟନ୍ତ ଲଗାତାର ବର୍ଷାରେ ଜୀବନ ଯାପନ କଷ୍ଟକର ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ସାଧାରଣ ଜୀବନରୁ ଆରମ୍ଭ କରି ଯାତାୟାତ ପର୍ଯ୍ୟନ୍ତ ସବୁ କିଛି ଅସ୍ତବ୍ୟସ୍ତ ହୋଇଗଲା।
ଏହି ବିପର୍ୟୟମୟ ପରିସ୍ଥିତିରେ ସେନା ଆଗକୁ ଆସିଛି। ଜମ୍ମୁକାଶ୍ମୀରରେ ବନ୍ୟାରେ ନଷ୍ଟ ହୋଇଥିବା ତାୱୀ ନଦୀ ଉପରେ ପୋଲ ପୁଣି ନିର୍ମାଣ କରି ସେନା ଯୋଗାଯୋଗ ପଥକୁ ପୁନଃସ୍ଥାପନ କରିଛନ୍ତି। ‘ଟାଇଗର ଡିଭିଜନ’ର ଇଞ୍ଜିନିୟରମାନେ ୧୧୦ ଫୁଟ୍ର ବେଲି ବ୍ରିଜ୍ କେବଳ ୧୨ ଘଣ୍ଟାରେ ସ୍ଥାପନ କରି, ଅନେକ ଦିନ ଧରି ବନ୍ଦ ଥିବା ସଂଯୋଗକୁ ପୁଣି ସଚଳ କରିଛନ୍ତି।
ଗତ ସପ୍ତାହରେ ପ୍ରବଳ ବର୍ଷା ଓ ବନ୍ୟାରେ ତାୱୀ ନଦୀ ଉପରେ ଥିବା ବ୍ରିଜ୍ ନମ୍ବର–୪ର ପୂର୍ବ ଅଂଶ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଯୋଗାଯୋଗ ବିଛିନ୍ନ ହୋଇଥିବାରୁ ସ୍ଥାନୀୟ ଲୋକମାନେ ଅନେକ ଆସୁପିଧର ସମ୍ମୁଖୀନ ହୋଇ ଥିଲେ।
ଏହି ପଦକ୍ଷେପରେ କେବଳ ଯାତାୟାତ ସୁବିଧା ପୁଣି ଚାଲୁ ହୋଇନାହିଁ, ସ୍ଥାନୀୟ ଲୋକଙ୍କୁ ମଧ୍ୟ ବିଶାଳ ସହାୟତା ମିଳିଛି। ବନ୍ୟାରେ ଘରେ ଅଟକିଥିବା ଲୋକମାନେ, ଚିକିତ୍ସା ସେବାରେ ଅସୁବିଧା ଭୋଗୁଥିବା ରୋଗୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବ୍ରିଜ୍ ପୁଣି ଆଶାର ରାସ୍ତା ଖୋଲିଦେଇଛି।
