ଧର୍ମଶାଳାରେ ବିଜେପି ସଭାପତି ମନମୋହନ ସାମଲଙ୍କ ଜୋରଦାର ଅଭିଭାଷଣ: ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା

ଧର୍ମଶାଳା: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଧର୍ମଶାଳାରେ ଆୟୋଜିତ ଏକ ଧନ୍ୟବାଦ ସଭାରେ ପୂର୍ବତନ ସରକାର ଓ ପୂର୍ବ ଲୋକପ୍ରତିନିଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାକୁ ସେ ସମ୍ବର୍ଦ୍ଧନା ସଭା ନୁହେଁ, ବରଂ ଧନ୍ୟବାଦ ସଭା ବୋଲି ଅଭିହିତ କରି କହିଛନ୍ତି ଯେ, ଯାଜପୁର ସରକାର ପରିବର୍ତ୍ତନ ପ୍ରକ୍ରିୟାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

ସାମଲ କହିଛନ୍ତି, “ଲୋକେ ଭାବିନଥିଲେ ଯେ ଯାଜପୁରରେ ପରିବର୍ତ୍ତନ ହେବ। କିନ୍ତୁ ଭଗବାନ ଓ ମାଆ ବିରଜା ଗର୍ବ ଓ ଅହଙ୍କାରକୁ କେବେ ସହି ନାହାନ୍ତି। ପୂର୍ବ ସରକାର ଲୋକଙ୍କୁ ‘ପୋକ ମାଛି’ ଭଳି ଭାବୁଥିଲେ ଓ ପଇସା ଦେଇ ସମର୍ଥନ ଆଣୁଥିଲେ। କିନ୍ତୁ 2024ରେ ଜନତା ସେମାନଙ୍କୁ ଜବାବ ଦେଇଛନ୍ତି।” ସେ ଆହୁରି କହିଛନ୍ତି, “78 ବର୍ଷ ପରେ ବିଜେପି ଏକାକୀ କ୍ଷମତାକୁ ଆସିଛି। ଆମେ ଯାହା କହୁଛୁ, ତାହା କରି ଦେଖାଉଛୁ।”

ସାମଲ ବିଜେପି ସରକାରର ସଫଳତା ବିଷୟରେ ଆଲୋକପାତ କରି କହିଛନ୍ତି, “ସଙ୍କଳ୍ପପତ୍ର ଅନୁସାରେ ପ୍ରତିଶ୍ରୁତି ପାଳନ ହେଉଛି। ଧାନର ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି, ଚାଷୀମାନେ ସମୃଦ୍ଧ ହେଉଛନ୍ତି। ରତ୍ନଭଣ୍ଡାର ଖୋଲାଯାଇ ମରାମତି ଶେଷ ହୋଇଛି, ଏବେ ଗଣତି ହେବ। ଜଳସେଚନକୁ ଶତପ୍ରତିଶତ କରିବା ଲକ୍ଷ୍ୟ ରହିଛି। 17 ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିଛି ଓ ଆଉ 10 ଲକ୍ଷ କୋଟି ପୁଞ୍ଜି ଆସିବ।”

ପୂର୍ବ ସରକାରଙ୍କୁ ଟାର୍ଗେଟ କରି ସାମଲ କହିଛନ୍ତି, “ସେମାନେ କଣ କରିଥିଲେ, ତାଲିକା ଲେଖି ଦିଅନ୍ତୁ। ଆମେ 15 ମାସରେ ଯାହା କରିଛୁ, ଲୋକେ ଜାଣିଛନ୍ତି। ଆମେ ହିସାବ ଦେଇପାରିବୁ, ସେମାନେ ପାରିବେ ନାହିଁ।” ସେ ଆହୁରି ଜୋର ଦେଇ କହିଛନ୍ତି, “ସ୍ବପ୍ନ ଦେଖିଲେ ହେବ ନାହିଁ, ଯୋଜନା କରି କାର୍ଯ୍ୟକାରୀ କରିବାକୁ ହେବ। 78 ବର୍ଷରେ ଯାହା ହୋଇନଥିଲା, ତାହା 5 ବର୍ଷରେ କରିଦେଖାଇବୁ।”

ଶେଷରେ ସାମଲ ଯାଜପୁରବାସୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, “ଧର୍ମଶାଳା ଲୋକେ ଅସମ୍ଭବକୁ ସମ୍ଭବ କରିଛନ୍ତି। ସରକାର ଗଠନରେ ଯାଜପୁରର ମୁଖ୍ୟ ଭୂମିକା ରହିଛି।”

Leave a Reply

Your email address will not be published. Required fields are marked *