ଶରଧାବାଲି ଦଳାଚକଟା ଘଟଣା ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା

ଭୁବନେଶ୍ୱର: ଗତ ଜୁନ୍ ୨୯ ତାରିଖରେ ପୁରୀ ଶରଧାବାଲିରେ ରଥଯାତ୍ରା ସମୟରେ ଦଳାଚକଟା ଘଟଣାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ ରିପୋର୍ଟ କମିସନର ଅନୁ ଗର୍ଗ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଦେଇଛନ୍ତି।

ଏହି ଘଟଣାର ତଦନ୍ତ ପାଇଁ ଅନୁ ଗର୍ଗଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା। ସରକାର ଏକ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମତୀ ଗର୍ଗ ଏକ ମାସ ଦୁଇ ଦିନରେ ଏହି ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ ଘଟଣା କାହିଁକି ହେଲା, କିଏ ଦାୟୀ, କେଉଁ ବ୍ୟବସ୍ଥାରେ ତ୍ରୁଟି ରହିଲା, ଏହାକୁ କିପରି ଏଡ଼ାଯାଇପାରିଥାନ୍ତା ଓ ଆଗାମୀ ଦିନରେ ଏଭଳି ଘଟଣା ନ ଘଟିବା ପାଇଁ କ’ଣ କରାଯାଇପାରିବ, ସେ ସବୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ପ୍ରାୟ ୨ ହଜାର ପୃଷ୍ଠାର ଓ ଏକ ସଂକ୍ଷିପ୍ତ ବିବରଣୀ ପୁସ୍ତିକା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି।

ରିପୋର୍ଟ ତିଆରି କରିବା ପାଇଁ ଅନୁ ଗର୍ଗ ଅନେକ ଲୋକଙ୍କ ବୟାନ ରେକର୍ଡ କରିଛନ୍ତି। ମୃତ ଶ୍ରଦ୍ଧାଳୁଙ୍କ ପରିବାର, ଆହତ ଲୋକଙ୍କ ବୟାନ, ୧୭ ଜଣ ସାଧାରଣ ଲୋକ, ୮୨ ଜଣ ପୁଲିସ କର୍ମଚାରୀ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଧିକାରୀ, ରଥଯାତ୍ରା ଭିଡ଼ ନିୟନ୍ତ୍ରଣ କେନ୍ଦ୍ରର କର୍ମଚାରୀ, ୫ ଜଣ ବରିଷ୍ଠ ପୁଲିସ ଅଧିକାରୀ ଓ ତିନି ରଥର ପାଳିଆ ସେବାୟତଙ୍କ ବୟାନ ନିଆଯାଇଛି। ଏହା ସହିତ ସାଧାରଣ ଲୋକଙ୍କ ପଠାଇଥିବା ଫଟୋ, ଭିଡିଓ ଓ ଇମେଲରେ ମିଳିଥିବା ତଥ୍ୟକୁ ମଧ୍ୟ ରିପୋର୍ଟରେ ସାମିଲ କରାଯାଇଛି।

Leave a Reply

Your email address will not be published. Required fields are marked *