ବର୍ଷା ପାଇଁ ଫସଲ ନଷ୍ଟ, ବୀମା କମ୍ପାନୀଙ୍କୁ ଚେତାବନୀ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଅଦିନିଆ ବର୍ଷାରେ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି କ୍ଷତିରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ଏହାପରେ ବିପନ୍ନ ଚାଷୀଙ୍କ ଦାବିର ତୁରନ୍ତ ସମାଧାନ କରିବାକୁ ରାଜ୍ୟ ସରକାର ବୀମା କଂପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ବୀମା କଂପାନିଗୁଡ଼ିକୁ ଚେତାବନୀ ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଯଦି କୃଷକମାନେ ହଇରାଣ ହୁଅନ୍ତି କିମ୍ବା ଦାବି ପ୍ରକ୍ରିୟାକରଣରେ ବିଳମ୍ବ ହୁଏ ତେବେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଫସଲ ବୀମା ପଲିସି କଂପାନିଗୁଡ଼ିକୁ ଲାଭ ଦେବା ପାଇଁ ନୁହେଁ ବରଂ ସଙ୍କଟ ସମୟରେ କୃଷକମାନଙ୍କୁ ସହାୟତା କରିବା ପାଇଁ ଉଦ୍ଦିଷ୍ଟ ବୋଲି ମନ୍ତ୍ରୀ ସଫେଇ ଦେଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବୀମା କଂପାନିଗୁଡ଼ିକ କୃଷକମାନଙ୍କ ପ୍ରତି ସମ୍ବେଦନଶୀଳ ଭାବରେ କାର୍ଯ୍ୟ କରିବା ଉଚିତ । ଡିସେମ୍ବର ୨୪ ସୁଦ୍ଧା ୨୦ ହଜାରରୁ ଅଧିକ ଚାଷୀ ଫସଲ ବୀମା ପାଇଁ ଆବେଦନ କରିସାରିଲେଣି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଫସଲ ନଷ୍ଟ ହେଉଥିବା ଖବର ଆସିବା ପରେ ମନ୍ତ୍ରୀ ଏହି ବୟାନ ଦେଇଛନ୍ତି। ଫସଲ କ୍ଷୟକ୍ଷତିର ତ୍ୱରିତ ଆକଳନ ଓ କ୍ଷତିପୂରଣ ବଣ୍ଟନ ପାଇଁ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇସାରିଛନ୍ତି। ୩ରୁ ୪ ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରୁ ମିଳିଥିବା ସୂଚନା ଅନୁଯାୟୀ, ଅଦିନିଆ ବର୍ଷାରେ ଧାନ ଫସଲ ବ୍ୟାପକ ନଷ୍ଟ ହେବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ବନମାଳୀ ଗାଁର ୫ ଏକର ଜମିରେ ଚାଷ ପାଇଁ ପାଖାପାଖି ୨ ଲକ୍ଷ ଟଙ୍କା ଋଣ ନେଇଥିଲେ। ତେବେ ଅଦିନିଆ ବର୍ଷା ଯୋଗୁଁ ଅମଳ ହୋଇଥିବା ଧାନର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଫସଲ ନଷ୍ଟ ହୋଇଯାଇଛି। ଏହି ବଡ଼ ଧରଣର କ୍ଷତି ସହି ନ ପାରି ଶୌଚାଳୟ ଭିତରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅପରପକ୍ଷରେ ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଫସଲ ହାନି ରିପୋର୍ଟକୁ କର୍ତ୍ତୃପକ୍ଷ ସ୍ୱୀକାର କରିବା ସହ କ୍ଷୟକ୍ଷତି ଆକଳନ ପରେ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।
ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣ୍ଡି ଖୋଲିବ ଏବଂ ଖୁବ୍ ଶୀଘ୍ର କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇବ। ଲଗାଣ ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତିର ଆକଳନ ଏପର୍ଯ୍ୟନ୍ତ ହୋଇପାରିନାହିଁ । ଆସନ୍ତା ୨୮ ତାରିଖରେ କୃଷି ଓ ସମବାୟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ସହ ବୈଠକ ବସିବ। ଫସଲ କ୍ଷୟକ୍ଷତି ରିପୋର୍ଟ ପାଇବା ପରେ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।