‘ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ’

ଭୁବନେଶ୍ୱର: ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ଦେବା ଆରମ୍ଭ କରିଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ୧୪ଟି ଜିଲ୍ଲାରେ ଫସଲ ନଷ୍ଟ ହୋଇଥିବା ବେଳେ ପ୍ରାୟ ୬ ଲକ୍ଷ ୬୬ ହଜାର ୭୨୦ ଚାଷୀ ପ୍ରଭାବିତ ହୋଇଛନ୍ତି। ପୁରୀ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଗଞ୍ଜାମ ତୃତୀୟ ସ୍ଥାନରେ ରହିଛି। ଧାନ, ପନିପରିବା, ଚିନାବାଦାମ ଓ କପା ଭଳି ପ୍ରମୁଖ ଫସଲ ନଷ୍ଟ ହୋଇଯାଇଛି।

୨୦୨୫ ଜାନୁଆରି ୩ ତାରିଖରେ ସଂପୃକ୍ତ ଜିଲ୍ଲା ଗୁଡ଼ିକୁ ୨୯୨ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି, ଯାହା ଆନୁମାନିକ କ୍ଷୟକ୍ଷତି ଆଧାରରେ ମଗାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କ୍ଷତିପୂରଣ ରାଶି କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ପହଞ୍ଚିବ। “

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତ ଜାନୁଆରୀ ୫ ତାରିଖରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶାର ଚାଷୀଙ୍କ ସହାୟତା ପାଇଁ ପ୍ରାୟ ୨୯୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିଥିଲେ। ପ୍ରତିକୂଳ ପାଗ ଯୋଗୁଁ ରାଜ୍ୟର ୬ ଲକ୍ଷ ୬୬ ହଜାରରୁ ଅଧିକ ଚାଷୀ ପ୍ରଭାବିତ ହୋଇଥିବାରୁ କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି।

ଓଡ଼ିଶା ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ସରକାର ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ମାନ୍ୟତା ଦେଇଛନ୍ତି। ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥିବା କୃଷି କ୍ଷେତ୍ରର ଲୋକଙ୍କୁ ସହାୟତା ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *