କଂଗ୍ରେସର ପୁନରାଗମନ ସମ୍ଭାବନା: AICC ନେବ ଜିଲ୍ଲା ସଭାପତି ଚୟନ ଦାୟିତ୍ୱ
ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସ ପାର୍ଟି ନିଜର ରାଜନୈତିକ ସ୍ଥିତି ମଜବୁତ କରିବା ପାଇଁ ନୂଆ ରଣନୀତି ଆପଣାଇଛି। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଏବେ ରାଜ୍ୟର ଜିଲ୍ଲା ସଭାପତିମାନଙ୍କ ଚୟନ ନିଜ ନିୟନ୍ତ୍ରଣକୁ ନେଇଛି। ପୂର୍ବରୁ ପିସିସି ଜିଲ୍ଲା ସଭାପତି ଘୋଷଣା କରିଥିଲା, କିନ୍ତୁ ଏଆଇସିସି ଏହାକୁ ଅଟକାଇ ଦେଇଛି। ଏହା ସହିତ କଂଗ୍ରେସ ନିଜର ‘ପକେଟ୍ ଭୋଟ୍’ ସଂରକ୍ଷଣ ଓ ସୁଦୃଢ଼ କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ଏଆଇସିସି ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶାରେ ଜିଲ୍ଲା ସଭାପତି ଚୟନ ପାଇଁ ୩୫ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏମାନଙ୍କ ମଧ୍ୟରେ ଡ. ଏନ ରଘୁବୀର ରେଡ୍ଡୀ, ଶ୍ରୀ ଜିସି ଚନ୍ଦ୍ରଶେଖର, ଶ୍ରୀ ଡିକେ ସୁରେଶ, ଶ୍ରୀମତୀ ଶୋଭା ଓଝା, ଶ୍ରୀ ସଞ୍ଜୟ କପୁର ଓ ଡ. ପାଲକ ବର୍ମା ପ୍ରମୁଖ ଅନ୍ତର୍ଭୁକ୍ତ। ଏହି ପର୍ଯ୍ୟବେକ୍ଷକମାନେ ଜିଲ୍ଲା ସ୍ତରରେ ନେତୃତ୍ୱ ଚୟନ ପ୍ରକ୍ରିୟାକୁ ତଦାରଖ କରିବେ, ଯାହା ଦଳର ସଙ୍ଗଠନକୁ ଅଧିକ ସକ୍ରିୟ ଓ ଦକ୍ଷ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
୨୦୨୪ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ ଦଳ ନିଜର ସଙ୍ଗଠନକୁ ପୁନଃଗଠନ କରିବାକୁ ମନସ୍ଥ କରିଛି। ଏଆଇସିସି ର ଏହି ନୂଆ ପଦକ୍ଷେପ ଜିଲ୍ଲା ସ୍ତରରେ ସକ୍ରିୟ ଓ ଦକ୍ଷ ନେତୃତ୍ୱ ଚୟନ କରି ଦଳକୁ ମଜବୁତ କରିବା ଲକ୍ଷ୍ୟ ରଖିଛି, ତେଣୁ ପିସିସି ର ନିଷ୍ପତ୍ତିକୁ ରଦ୍ଦ କରି ଏଆଇସିସି ନିଜେ ନେତୃତ୍ୱ ନେଇ ପାଇଁ ମନସ୍ଥ କରିଛନ୍ତି |
କଂଗ୍ରେସ ରାଜ୍ୟରେ ବିଜେପି ସରକାରଙ୍କୁ ମହିଳା ସୁରକ୍ଷା ଓ ଆଇନଶୃଙ୍ଖଳା ପରି ପ୍ରସଙ୍ଗରେ ଘେରିବାକୁ ଆକ୍ରମଣାତ୍ମକ ରଣନୀତି ଗ୍ରହଣ କରିଛି। ବିଧାନସଭାରେ ବିକ୍ଷୋଭ ଓ ରାଜପଥରେ ଯାତ୍ରା ମାଧ୍ୟମରେ ଦଳ ଜନମାନସରେ ନିଜର ଉପସ୍ଥିତି ଜାହିର କରୁଛି।
ଏଆଇସିସିର ଜିଲ୍ଲା ସଭାପତି ଚୟନରେ ସକ୍ରିୟ ଭୂମିକା ଓ ସଠିକ ନେତୃତ୍ୱ ଚୟନ ଦଳର ସଙ୍ଗଠନକୁ ନୂଆ ଜୀବନ ଦେଇପାରେ। ରାଜ୍ୟର ଜନସମସ୍ୟା ଉପରେ ଦୃଢ଼ ଆଭିମୁଖ୍ୟ ଦେଖାଇ କଂଗ୍ରେସ ଯଦି ନିଜର ପାରମ୍ପରିକ ଭୋଟ ବ୍ୟାଙ୍କକୁ ଫେରାଇ ଆଣିପାରେ, ତେବେ ରାଜ୍ୟରେ ଏକ ଶକ୍ତିଶାଳୀ ପୁନରାଗମନ ସମ୍ଭବ। ଆଗାମୀ ଦିନରେ ଦଳର ରଣନୀତି ଓ ଜନସମର୍ଥନ ଏହାର ଭବିଷ୍ୟତ ନିର୍ଧାରଣ କରିବ।
