୨୩ରେ ପିସିସି ସଭାପତିଙ୍କ ମାଲକାନଗିରି ଗସ୍ତ
ଇତିମଧ୍ୟରେ ମାଲକାନଗିରି ହିଂସାକୁ ଦୁଇ ସପ୍ତାହ ପୂରିବାକୁ ବସିଲାଣି। ଅଥଚ ଶାନ୍ତି ଫେରିନାହିଁ। ଇତି ମଧ୍ୟରେ ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ମତ୍ସ୍ୟ ଏବଂ ପଶୁପାଳନ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଜିଲ୍ଲା ଗସ୍ତ କରି ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇ କାମ ସାରିଦେଇଛନ୍ତି। ସେମାନେ ସଂପୃକ୍ତ ଆଦିବାସୀ ଏବଂ ବଙ୍ଗାଳୀ ସମ୍ପ୍ରଦାୟର ନେତାମାନଙ୍କ ସହିତ କଥାବାର୍ତ୍ତା କରି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିବା ଡିଣ୍ଡିମ ପିଟୁଛନ୍ତି। ଅନ୍ୟ ପକ୍ଷରେ, ଜାତୀୟ ଅନୁସୂଚିତ ଜନଜାତି ପରିଷଦ (NCST) ଓଡ଼ିଶାର ମାଲକାନଗିରି ଜିଲ୍ଲାପାଳ ଓ ଏସପିଙ୍କଠାରୁ ଜିଲ୍ଲାରେ ବଙ୍ଗାଳୀ ବସତିକାରୀ ଏବଂ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ନିକଟରେ ହୋଇଥିବା ସଂଘର୍ଷ ସମ୍ପର୍କରେ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ATR) ମାଗିଛି। ରାଜ୍ୟର ଡବଲ ଇଂଡିନ ସରକାର ଜିଲ୍ଲାରେ ଲାଗି ରହିଥିବା ଲୋକଙ୍କର ସମସ୍ୟାଗୁଡ଼ିକର ସମାଧାନ ପାଇଁ ମୁଣ୍ଡ ନ ଖେଲାଇବାରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି, ଯାହା କି ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିଛି। ଏହାକୁ ସମାଧାନ ନ କରି ଆଖି ବୁଜି ଦେଇ ବସିଲେ ଉଭୟ କୋୟା ଓ ବଙ୍ଗାଳୀ ସଂପ୍ରଦାୟଙ୍କ ମଧ୍ୟରେ ଆଗକୁ ଯେ ଏଭଳି ପରିସ୍ଥିତିର ଆଉ ନ ଉପୁଜିବ, ତା’କିଏ କହିବ?
ଉପରୋକ୍ତ ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଉକ୍ତ ଅଞ୍ଚଳରେ ଶାନ୍ତି ଫେରାଇବାର ପ୍ରୟାସରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆସନ୍ତା ୨୩ ଡିସେମ୍ବର ମଙ୍ଗଳବାର ମାଲକାନଗିରି ଗସ୍ତ କରିବ। ଉକ୍ତ ପ୍ରତିନିଧି ଦଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଂଗ୍ରେସ ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ, ତିନି ବରିଷ୍ଠ ଆଇନଜୀବୀ ନିଶିକାନ୍ତ ମିଶ୍ର, ଲଲାଟେନ୍ଦୁ ଦାସ ଓ ମନୋଜ ନାୟକଙ୍କ ଏକ ପ୍ରତିନିଧି ଦଳ ପ୍ରମୁଖ ପ୍ରଭାବିତ ଏମ୍ଭି-୨୬ ଓ ଆଖପାଖ ଅଞ୍ଚଳ ଗସ୍ତ କରିବେ ବୋଲି ପିସିସି ପକ୍ଷରୁ ସୂଚନା ଦିଆଯାଇଛି।
