ଗିରଫ ପରେ କଂଗ୍ରେସରୁ ନିଲମ୍ବିତ ହେଲେ ଉଦିତ ପ୍ରଧାନ|

ଭୁବନେଶ୍ୱର: ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଶେଷରେ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ଛାତ୍ରନେତା ଉଦିତ ପ୍ରଧାନ | ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍‌ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଥିଲା । ମଞ୍ଚେଶ୍ବର ଥାନା ପୁଲିସ ଗତକାଲି ରାତିରେ ଉଦିତଙ୍କୁ ଉଠାଇ ନେଇଥିଲା । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୮ତାରିଖ ଅପରାହ୍ଣରେ ସେ, ତାଙ୍କର ଜଣେ ବାନ୍ଧବୀ ଓ ଜଣେ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ବୁଲିବାକୁ ଯାଇଥିଲେ। ସେଠାରେ ସହପାଠୀଜଣକ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ।

ଏହାପରେ ଉଦିତଙ୍କ ଗାଡ଼ିରେ ସେମାନେ ନୂଆପଲ୍ଲୀସ୍ଥିତ ଏକ ହୋଟେଲକୁ ଯାଇଥିଲେ। ହୋଟେଲ୍‌ରେ ସେମାନେ ମଦ ପିଇଥିଲେ। କିନ୍ତୁ ପୀଡ଼ିତା ମଦ ପିଇବାକୁ ମନା କରିଥିଲେ। ତେଣୁ ଉଦିତ ତାଙ୍କୁ ମୃଦୁପାନୀୟ ପିଇବାକୁ କହିଥିଲେ। ସେ କୌଶଳକ୍ରମେ ସେଥିରେ କୌଣସି ନିଶା ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ। ମୃଦୁ ପାନୀୟ ପିଇବାର କିଛି ସମୟ ପରେ ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ତେଣୁ ତୁରନ୍ତ ଘରେ ଛାଡ଼ିଦେବାକୁ ସେ କହିଥିଲେ। ମାତ୍ର ଉଦିତ ଓ ଅନ୍ୟମାନେ ତାଙ୍କୁ ଯିବାକୁ ଦେଇ ନଥିଲେ। ଏହାପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କର ହୋସ୍‌ ଫେରିବା ବେଳକୁ ସେ ଜାଣିପାରିଥିଲେ ଯେ ଉଦିତ ତାଙ୍କୁ ଦୁଷ୍କର୍ମ କରିଥିଲା। ଏନେଇ ସେ ପଚାରିବାରୁ ଉଦିତ ତାଙ୍କୁ ଧମକ ଦେଇଥିଲେ। ଅଭିଯୋଗ କଲେ, ତାଙ୍କୁ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି କହିଥିଲେ। ଉଦିତ ଜଣେ ଛାତ୍ରନେତା ହୋଇଥିବାରୁ ପୀଡ଼ିତା ଡରିଯାଇଥିଲେ ଏବଂ ନିରବ ରହିବାକୁ ବାଧ୍ୟ ହୋଇଥିଲେ ବୋଲି ଏତଲାରେ ଦର୍ଶାଇଥିଲେ। ଦୁଷ୍କର୍ମ ଅଭିଯୋଗ ପରେ ମଞ୍ଚେଶ୍ବର ଥାନା ପୁଲିସ ଉଦିତଙ୍କୁ ରାତି‌ରେ ଉଠାଇ ନେଇଥିଲା । ଆଉ ଏବେ କଂଗ୍ରେସ ଏହି ଘଟଣାକୁ ନେଇ ଉଦିତଙ୍କ ବିରୋଧରେ ଆକ୍ସନ ନେଇଛି | ଦୁଷ୍କର୍ମ ଅଭିଯୋଗରେ ଗିରଫ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଜାତୀୟ ଯୁବ କଂଗ୍ରେସ ସଭାପତି ପଦ ଓ ଦଳରୁ ନିଲମ୍ବିତ କରିଥିବା ଜଣାଯାଇଛି। ଅଭିଯୁକ୍ତ ଉଦିତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଆଧାରରେ ୫ଟି ଗମ୍ଭୀର ଦଫା ଲାଗିଛି ।ସଙ୍ଗିନ ଦଫାରେ ଅଭିଯୋଗ ପରେ ଉଦିତଙ୍କୁ ଗିରଫ କରାଯାଇଛି । ସେପଟେ ପୀଡ଼ିତାଙ୍କୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ କରିଛି କମିସନରେଟ ପୁଲିସ।

Leave a Reply

Your email address will not be published. Required fields are marked *