କଂଗ୍ରେସ ସୃଜନ ବୈଠକରେ ବିବାଦ, ଦଳ ମଧ୍ୟରେ ଦ୍ୱନ୍ଦ୍ୱ
ଭୁବନେଶ୍ୱର :ସାରା ରାଜ୍ୟରେ ଏବେ କଂଗ୍ରେସ ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଚାଲିଛି। ପର୍ଯ୍ୟବେକ୍ଷକ ମାନେ ସୃଜନ ବୈଠକ ମାଧ୍ୟମରେ ଖୋଜୁଛନ୍ତି ଜିଲ୍ଲା ସଭାପତି। ହେଲେ ସବୁ ଜିଲ୍ଲାରେ ମାଳମାଳ ନେତା ଆଶାୟୀ ଅଛନ୍ତି। ଫଳରେ ସୃଜନ ବୈଠକରେ ଗୋଷ୍ଠୀ ବିବାଦ ପଦାରେ ପଡିଛି। କୋରାପୁଟ, ଖଲ୍ଲିକୋଟ, ପାରାଦୀପ ଏଇ ତିନିଟି ସ୍ଥାନରେ କଂଗ୍ରେସ କଳି ପଦାରେ ପଡିଛି। ପର୍ଯ୍ୟବେକ୍ଷକ ସଭାପତି କଣ ବାଛିବେ, ବସିକି ଗୋଷ୍ଠୀ କନ୍ଦଳ ଦେଖୁଛନ୍ତି।
କୋରାପୁଟ ଜ଼ିଲ୍ଲାରେ ସୃଜନ ସଂଗଠନ ଅଭିଯାନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସଭା ଆରମ୍ଭରୁ ହଟଗୋଳ ହୋଇଥିଲା। ଦଳରୁ ବହିସ୍କୃତ ନେତା କାହିଁକି ବୈଠକକୁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ ଜୟପୁର ବିଧାୟକ ତାରା ବାହିନୀପତି। ଏହାକୁ ନେଇ ସଭାରେ ଦୁଇ ଗୋଷ୍ଠି ମଧ୍ୟରେ ତୁ ତୁ ମେ ମେ ହୋଇଥିଲା। ଏତ ଗଲା କୋରାପୁଟ କଥା।ଖଲ୍ଲିକୋଟରେ କଂଗ୍ରେସର ସଂଗଠନ ସୃଜନ ଅଭିଯାନ ବୈଠକ ଅଧାରୁ ବନ୍ଦ ହୋଇଗଲା। କଂଗ୍ରେସର ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା ନିଜ ଭାଷଣରେ ସତ କଥାଟା କହିଦେଲେ, କି କଂଗ୍ରେସ କର୍ମୀ ମାନେ ୨୦୨୪ ନିର୍ବାଚନରେ ଅନ୍ୟ ଦଳକୁ ବିକ୍ରି ହୋଇଯାଇଥିଲେ। ବାସ ତାପରେ ରଣକ୍ଷେତ୍ର ପାଲଟିଥିଲା ସଭାସ୍ଥଳ।
ପର୍ଯ୍ୟବେକ୍ଷକ ଦର୍ଶକ ସାଜି ଏସବୁ ଦେଖୁଥିଲେ। କଂଗ୍ରେସ କର୍ମୀ ହୋହାଲ୍ଲା ପରେ ସଭା ଅଧାରୁ ବୈଠକ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ପାରାଦୀପରେ ବି ସମାନ ଅବସ୍ଥା । ସୃଜନ ବୈଠକରେ ପୂର୍ବତନ ଏସସି ସେଲର ସଭାପତିଙ୍କୁ ମାଡ ମରା ଯାଇଥିବା ନେଇ ଅଭିଯୋଗ। ଗଣ୍ଡଗୋଳ ଏମିତି ହେଲା ଯେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ଗୋଟିଏ ପଟେ କଂଗ୍ରେସ କର୍ମୀଙ୍କୁ ଗୋଟେଇ ପୋଟେଇ ଆଗକୁ ବଢ଼ିବାକୁ ଚେଷ୍ଟା ଚାଲିଥିବା ବେଳେ, କର୍ମୀଙ୍କ ମୁହାଁମୁହିଁ ସ୍ଥିତି ପର୍ଯ୍ୟବେକ୍ଷକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଭଡାରେ କର୍ମୀଙ୍କୁ ଆଣି ସୃଜନ ପର୍ଯ୍ୟବେକ୍ଷକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ଆଶାୟୀ ।
ଜିଲ୍ଲା ସ୍ତରର ପ୍ରଭାବଶାଳୀ ନେତା ମାନେ ନିଜ ଅନୁଗତଙ୍କୁ ଜିଲ୍ଲା ସଭାପତି କରିବା ପାଇଁ ସବୁ ବଳ ଲଗେଇ ଦେଇଛନ୍ତି । କିନ୍ତୁ ଦୁଇଗୋଷ୍ଠୀ ମଧ୍ୟରେ ତୁ ତୁ ମେ ମେ, କଂଗ୍ରେସ କନ୍ଦଳ ପଦାରେ ପକେଇଛି। କଂଗ୍ରେସରେ ଯେ ସବୁକିଛି ଠିକଠାକ ଚାଲିନାହିଁ ତାହା ଏଇ ହଙ୍ଗାମାରୁ ସ୍ପଷ୍ଟ ହେଉଛି। ଏବେ ଦେଖାଯାଉ, ପର୍ଯବେକ୍ଷକ ଆଗ କରିବେ କଣ, ଦଳ ସଜାଡ଼ିବେ ନା ଜିଲ୍ଲା ସଭାପତି ବାଛିବେ। କଂଗ୍ରେସ କଳିକୁ କେମିତି ହ୍ୟାଣ୍ଡେଲ କରିବେ। ତାହା ଏବେ ବଡ ଚ୍ୟାଲେଞ୍ଜ।
