ନାବାଳିକା ମୃତ୍ୟୁ ଉପରେ ସରକାରୀ ମୌନତା? କଂଗ୍ରେସର ପ୍ରଶ୍ନ ଓ ପ୍ରତିବାଦ
ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସ ପକ୍ଷରୁ ଗୁରୁତର ପ୍ରଶ୍ନ ଉଠିଛି। କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି ଯେ, ପୀଡ଼ିତାଙ୍କ ମୃତ୍ୟୁ ପରେ ଓଡ଼ିଶା ପୋଲିସର ଡିଜିଙ୍କ ଆକାଉଣ୍ଟରୁ ଟ୍ୱିଟ କରାଯାଇଥିଲା ଯେ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ। ଏହାକୁ ନେଇ ସେ କହିଛନ୍ତି ଯେ, ତଦନ୍ତ ଚାଲିଥିବା ବେଳେ ପୋଲିସ ଏଭଳି ଏକପାଖୀୟ ବୟାନ ଦେଇଛି, ଯାହା ସରକାରଙ୍କ ଇଙ୍ଗିତରେ ହୋଇଥିବା ସନ୍ଦେହ ହେଉଛି। ପୁରୀ ଏସପି ପିନାକ ମିଶ୍ର ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ଦାବି କରିଥିଲେ, କିନ୍ତୁ ତାହା ଖୁଲାସା ନ କରି ଘଟଣାକୁ ଚାପିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଛନ୍ତି ନିଶିକାନ୍ତ।
ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ନାରୀଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି। କେନ୍ଦ୍ରାପଡ଼ାରେ ଘଟିଥିବା ଏକ ଘଟଣାରେ ପୋଲିସର ଅବହେଳା ସାମ୍ନାକୁ ଆସିଥିଲେ ମଧ୍ୟ କେବଳ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି। ନିଶିକାନ୍ତ ଦାବି କରିଛନ୍ତି ଯେ,ଆଇସିସି ଙ୍କୁ ନିଲମ୍ବନ କରି ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ।
ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ପକ୍ଷରୁ ବିଭିନ୍ନ ପ୍ରତିବାଦ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। କଂଗ୍ରେସ ମିଡ଼ିଆ ସେଲ ଚେୟାରମ୍ୟାନ ଅରବିନ୍ଦ ଦାସ କହିଛନ୍ତି ଯେ ଆସନ୍ତା ୮ ଅଗଷ୍ଟ ୨୦୨୫ରେ ଡିଜି କାର୍ଯ୍ୟାଳୟ ଘେରାଉ କରାଯିବ। ୧୦ ଅଗଷ୍ଟ ୨୦୨୫ରେ ବଳଙ୍ଗା ପୀଡ଼ିତାଙ୍କ ପାଇଁ ନାରୀ ନ୍ୟାୟ ପଦଯାତ୍ରା ଆୟୋଜନ ହେବ। ୧୪ ଅଗଷ୍ଟ ୨୦୨୫ରେ ସୌମ୍ୟଶ୍ରୀ ନାମ୍ନୀ ଜଣେ ପୀଡ଼ିତାଙ୍କ ପାଇଁ ଏଫଏମ କଲେଜରୁ ନାରୀ ନ୍ୟାୟ ପଦଯାତ୍ରା କରାଯିବ|
