ନିଶା ମାଫିଆଙ୍କୁ କମିସନରେଟ୍ ପୋଲିସର ପ୍ରହାର: ବ୍ରାଉନ୍ ସୁଗର୍ ଓ ଗଞ୍ଜେଇ ଜବତ୍
ଭୁବନେଶ୍ୱର: କମିସନରେଟ୍ ପୋଲିସ୍ ଦ୍ୱାରା ଆରମ୍ଭ ହୋଇଛି ଅପରେସନ୍ ପ୍ରହାର। ପୋଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଅବକାରୀ, ଏନ୍ସିବି ଏବଂ ଏସ୍ଟିଏଫ୍ର ମିଳିତ ସହଯୋଗରେ ଏହି ଅପରେସନ୍ ଚାଲୁ ରହିଛି। ନିଶା ମାଫିଆଙ୍କୁ ଟାର୍ଗେଟ୍ କରାଯାଇଛି, ବିଶେଷକରି ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାରକୁ ରୋକିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି।
ଏହି ଅପରେସନ୍ରେ ଦୁଇଟି ସଫଳତା ମିଳିଛି। ପ୍ରଥମରେ, ଇନ୍ଫୋସିଟି ଥାନା ପୋଲିସ୍ ଦ୍ୱାରା ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର୍, ବନ୍ଧୁକ ଏବଂ ଗୁଳି ଜବତ୍ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ଏସ୍କେ ମାସୁମ୍ ଏବଂ ଛୋଟୁ ମଣ୍ଡଳ। ଦ୍ୱିତୀୟରେ, ନୟାପଲ୍ଲୀ ଅଞ୍ଚଳରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତାଙ୍କ ନାମ ସାବିତ୍ରୀ ବେହେରା। ତାଙ୍କ ନିକଟରୁ ୧୧୦ ପ୍ୟାକେଟ୍ ଗଞ୍ଜେଇ ଜବତ୍ କରାଯାଇଛି। ସେ ସ୍କୁଲ୍ ନିକଟରେ ପାନ ଦୋକାନ ଚଳାଇ ଗଞ୍ଜେଇ ପୁଡ଼ିଆ କରି ବିକ୍ରି କରୁଥିଲେ।
ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାମରେ କମିସନରେଟ୍ ପୋଲିସ୍ର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଆଗାମୀ ଦିନରେ ରାଜ୍ୟ ବାହାରେ ଥିବା ନିଶା ମାଫିଆଙ୍କୁ ନଜରରେ ରଖିବାକୁ କମିସନରେଟ୍ ପୋଲିସ୍ ଯୋଜନା କରିଛି। ଏହି ଅଭିଯାନ ଜରିଆରେ ନିଶା କାରବାରକୁ ମୂଳରୁ ଉପାଡ଼ିବା ଲକ୍ଷ୍ୟ ରଖାଯାଇଛି।
