ଆରମ୍ଭ ହେଲା + ୨ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ କଲେଜ ବଦଳି ଆବେଦନ ପ୍ରକ୍ରିୟା

ଆଜିଠୁ ଆରମ୍ଭ ହୋଇଛି + ୨ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ କଲେଜ ବଦଳି ଆବେଦନ ପ୍ରକ୍ରିୟା। ଯାହା ୨୮ ତାରିଖ ଯାଏ ଚାଲିବ । ସାମ୍ସ ପୋର୍ଟାଲ୍ ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୩୦ ତାରିଖରେ କଲେଜ ସ୍ତରରେ ସମସ୍ତ ଆବେଦନର ଯାଞ୍ଚ ହେବ । ସାମ୍ସ ଜିଲ୍ଲା ନୋଡାଲ ଅଧିକାରୀ ୨୦୨୫ ଜାନୁଆରୀ ୨ ତାରିଖ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ କରିବେ ।

ଜାନୁଆରୀ ୩ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ସମସ୍ତ ଆବେଦନର ସମୀକ୍ଷା ହେବ । ଏହାପରେ ବଦଳି ପାଇଁ ଅନୁମତି ମିଳିବ । ୪ରୁ ୧୩ ତାରିଖ ଯାଏ କଲେଜ ବଦଳି ପିଲା ଇଚ୍ଛୁକ ଛାତ୍ରଛାତ୍ରୀ ନାମ ଲେଖାଇ ପରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । କଲେଜ ବଦଳି ପାଇଁ ସ୍ୱତନ୍ତ୍ର ଗାଇଡ୍ଲାଇନ ପ୍ରକାଶ ପାଇଛି । ଯେଉଁଥିରେ ପିଲାଟି ଯିବାକୁ ଚାହୁଁଥିବା କଲେଜରେ ସେ ପଢ଼ୁଥିବା ଷ୍ଟ୍ରିମ୍ରେ ସିଟ୍ ଥିବା ଆବଶ୍ୟକ ।

ବିଶେଷକରି ୫ଟି କାରଣରେ ପିଲା ନିଜର କଲେଜ ବଦଳି କରିପାରିବ । ପିଲାର ବାପା କିମ୍ବା ମାଙ୍କ ଚାକିରିରେ ବଦଳି ବା ବାପା କିମ୍ବା ମା’ ଅବସର ଗ୍ରହଣ କରିଥାନ୍ତି ତେବେ ତାର ଦସ୍ତାବିଜ ଆଧାରରେ କଲେଜ ବଦଳି କରାଯାଇପାରିବ । ବାପା, କିମ୍ବା ମାଙ୍କର ଯଦି ମୃତ୍ୟୁ ହୋଇଥାଏ ସେ ଆଧାରରେ ମଧ୍ୟ କଲେଜ ବଦଳି କରିପାରିବେ । ଛାତ୍ରୀ ଯଦି ବିବାହ କରିଥାନ୍ତି ତେବେ ସେ ଆଧାରରେ ମଧ୍ୟ ବଦଳି ପାଇଁ ଆବେଦନ କରିପାରିବେ । ଏହା ଛଡ଼ା ଶାରୀରିକ ଅସୁସ୍ଥତା ଦର୍ଶାଇ ମଧ୍ୟ ବଦଳି ପାଇଁ ଆବେଦନ କରିପାରିବେ । ତେବେ ଏଥିପାଇଁ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା ତାଙ୍କ ଅଧୀନରେ ଥିବା ଡାକ୍ତରଙ୍କ ଠାରୁ ମିଳିଥିବା ପ୍ରମାଣପତ୍ର ଆଧାରରେ ମଧ୍ୟ କଲେଜ ବଦଳି ପାଇଁ ଆବେଦନ କରିପାରିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ।

Leave a Reply

Your email address will not be published. Required fields are marked *