କି ଥଣ୍ଡା….ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ
ଭୁବନେଶ୍ୱର : ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଆସିଛି। ଶନିବାର ଓ ରବିବାର ରାତିରେ କନ୍ଧମାଳର ଜି.ଉଦୟଗିରି ସମସ୍ତ ଜିଲ୍ଲା ମଧ୍ୟରେ ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଥିବା ବେଳେ ପାରଦ ୫ ଡିଗ୍ରି ତଳକୁ ଖସି ଆସିଛି। ସେହିପରି ଫୁଲବାଣୀରେ ରାଜ୍ୟର ସମସ୍ତ ସହର ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରେକର୍ଡ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୁବନେଶ୍ୱର କେନ୍ଦ୍ର ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଓଡ଼ିଶାର ମୋଟ ୯ଟି ସ୍ଥାନରେ ଥଣ୍ଡା ପବନ ବହିବା ସହ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ସେମିଳିଗୁଡା (୫.୯), ଦାରିଙ୍ଗବାଡ଼ି (୮.୫), କୋରାପୁଟ (୯.୪), ରାଉରକେଲା (୯.୫) ଏବଂ ଝାରସୁଗୁଡ଼ା, ଭବାନୀପାଟଣା ଓ ନବରଙ୍ଗପୁରରେ ୯.୮ ଡିଗ୍ରି ସେଲସିୟସ୍ ତାପମାତ୍ରା ଛୁଇଁଛି।
ସେପଟେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ଲହରିରୁ ମୁକ୍ତି ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୀତୁଆ ପବନ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତର ଲହରି ଜାରି ରହିବ। ତେବେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଚଳିତ ସପ୍ତାହରେ ଉତ୍ତର ଭାରତକୁ ବର୍ଷା କରିବାର ସମ୍ଭାବନା ଥିବାରୁ ଆସନ୍ତାକାଲି ପରେ ତାପମାତ୍ରା ଅତି କମରେ ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ପାଗ ଥଣ୍ଡା ରହିଛି। ଗତକାଲି ରାତିରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କଟକର ତାପମାତ୍ରା ୧୪ ଡିଗ୍ରୀ ସେଲସିୟସକୁ ଖସି ଆସିଛି ।
