ରାଜ୍ଯରେ ଶୀତର ଲହର, ଆଇଏମଡି ଜାରି କଲା ନୂଆ ସତର୍କ ସୂଚନା
ଭୁବନେଶ୍ଵର: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶାର ଅଧିକାଂଶ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ଥଣ୍ଡା ଓ ତାପମାତ୍ରା ହ୍ରାସ ପାଇବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏପରି ଥଣ୍ଡା ଜାରି ରହିବ। ଜାନୁଆରୀ ୧୭ ତାରିଖ ରାତିରୁ ଶୀତ ଲହରୀ ଜାରି ରହିଛି । ରାଜ୍ଯର ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଫୁଲବାଣୀରେ ଓଡ଼ିଶାର ସହରଗୁଡ଼ିକ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରେକର୍ଡ କରାଯାଇଛି।
ଏହାବ୍ୟତୀତ ଶୁକ୍ରବାର ଓ ଶନିବାର ରାତିରେ ଜି.ଉଦୟଗିରିରେ ତାପମାତ୍ରା ୫ ଡିଗ୍ରି ସେଲସିୟସ ରହିଥିଲା, ଯାହା କି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଥିଲା। ସେହିପରି ଶିମିଳିଗୁଡା (୭.୬), ଝାରସୁଗୁଡ଼ା (୯.୭), ଅନୁଗୁଳ (୧୦), ରାଉରକେଲା (୧୦.୫), ସୁନ୍ଦରଗଡ଼, ଭବାନୀପାଟଣା ଓ କୋରାପୁଟରେ ମଧ୍ୟ ତାପମାତ୍ରା ୧୧ ଡିଗ୍ରି ସେଲସିୟସକୁ ହ୍ରାସ ପାଇଛି।
ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଆଇଏମଡିର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ହେବାର ପୂର୍ବାନୁମାନ କରାଯାଇଛି।
ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ଯାହା ଆଜି ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଜିଲ୍ଲାଗୁଡ଼ିକରେ ଦୃଶ୍ୟମାନତା ୫୦ ମିଟରକୁ ଖସିପାରେ ଏବଂ କେତେକ ଅଞ୍ଚଳରେ ଜିରୋ ଭିଜିବିଲିଟି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ।
ଶୀତର ହଠାତ୍ ଆଗମନ ଟ୍ୱିନ୍ ସିଟିରେ ଦେଖିବାକୁ ମିଳିଛି। ଗୋଟିଏ ରାତିରେ ଭୁବନେଶ୍ୱରର ତାପମାତ୍ରା ୩.୨ ଡିଗ୍ରି ସେଲସିୟସ ଓ କଟକର ତାପମାତ୍ରା ୨ ଡିଗ୍ରି ସେଲସିୟସ ହ୍ରାସ ପାଇଛି । ଆଇଏମଡିର ସୂଚନା ଅନୁଯାୟୀ ଜାନୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ସହରର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୩ ଡିଗ୍ରି ଓ ୧୨ ଡିଗ୍ରି ସେଲସିୟସ ରହିବ ।
