ଧର୍ମେନ୍ଦ୍ରଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ: ଶିକ୍ଷା ସଂସ୍କାର ନା ମନ ମତାନ୍ତର ଦୂର କରିବାକୁ ପ୍ରୟାସ?

ଭୁବନେଶ୍ୱର: ଜି ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀଙ୍କ ସରକାରୀ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହି ବୈଠକରେ ରାଜ୍ୟର ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା, ନୂତନ ଶିକ୍ଷାନୀତି, ଶିକ୍ଷାରେ ସଂସ୍କାର ଏବଂ ଶିକ୍ଷା ଭିତ୍ତିଭୂମିର ଉନ୍ନତି ପାଇଁ ଆଗାମୀ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଥିବା ବେଳେ ରାଜ୍ୟ ରାଜନୀତିରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ବୈଠକରେ ଉପସ୍ଥିତି ଏବଂ ତାଙ୍କର ଭୂମିକା କ’ଣ ଥିଲା, ତାହା ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମନୋନୟନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଯେ, “ଯୋଡ଼ାକୁ ଘୋଡ଼ା ସରି ନୁହେଁ,” ଯାହା ପରୋକ୍ଷ ଭାବେ ଧର୍ମେନ୍ଦ୍ରଙ୍କୁ ଇଙ୍ଗିତ କରୁଥିଲା। ବିଜେପି ସରକାର ଗଠନ ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜୋରଦାର ଚର୍ଚ୍ଚା ଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ରାଜ୍ୟ ବିଜେପି ଭିତରେ ଦୁଇ ଗୋଷ୍ଠୀର ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା, ଯେଉଁଥିରେ ଧର୍ମେନ୍ଦ୍ରଙ୍କୁ ରାଜ୍ୟ ନେତୃତ୍ୱ ଦ୍ୱାରା ସାଇଡଲାଇନ କରାଯାଇଥିବା କୁହାଯାଉଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତି ଓ ଦୀର୍ଘ ଆଲୋଚନା ରାଜ୍ୟ ରାଜନୀତିରେ ନୂଆ ଜଳ୍ପନା ସୃଷ୍ଟି କରିଛି।

ଏହା କେବଳ ଶିକ୍ଷା ସଂସ୍କାର ପାଇଁ ଏକ ସାଧାରଣ ବୈଠକ ଥିଲା, ନା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କିମ୍ବା ରାଜ୍ୟ ବିଜେପିରେ ଗୋଷ୍ଠୀ ସଂଘାତ ମେଣ୍ଟାଇବା ପାଇଁ ମୋହନ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ମନ ମିସାଇବାର ପ୍ରୟାସ? ରାଜ୍ୟ ରାଜନୀତିରେ ଏହା ଏକ ବଡ଼ ପ୍ରଶ୍ନ ହୋଇ ରହିଛି। “ଯୋଡ଼ା ଘୋଡ଼ା ସରି ହେଲା କି?” ଏହି ପ୍ରଶ୍ନ ଏବେ ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଆଗାମୀ ଦିନରେ ଏହି ବୈଠକର ପ୍ରକୃତ ଉଦ୍ଦେଶ୍ୟ ସ୍ପଷ୍ଟ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।

Leave a Reply

Your email address will not be published. Required fields are marked *