ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏମ୍ଏଲ୍ଏ ଏଲ୍ଏଡି ୱେବ୍ ପୋର୍ଟାଲ ଉନ୍ମୋଚନ, ୩୦ ଦିନରେ କାର୍ଯ୍ୟାଦେଶ!

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ୍‌.ଏଲ.ଏ ଲ୍ୟାଡ’ ଓ ‘ସିଏମ୍-ଏସ୍‌.ଏ’ ର ସରଳୀକୃତ ନିର୍ଦ୍ଦେଶାବଳୀ ଉନ୍ମୋଚିତ କରିବା ସହିତ ‘ଏମ୍‌.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲ’ (https://mlalads.odisha.gov.in) ର ଶୁଭାରମ୍ଭ କରିଛନ୍ତି। ଏହାକୁ ସମସ୍ତ କ୍ୟାବିନେଟ୍ ସହଯୋଗୀଙ୍କ ଉପସ୍ଥିତିରେ କ୍ୟାବିନେଟ୍ ବୈଠକ ପୂର୍ବରୁ ଉଦ୍‌ଘାଟିତ କରାଗଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂତନ ନିର୍ଦ୍ଦେଶାବଳୀ ସ୍ୱଚ୍ଛ, ସରଳ ଓ ସମୟୋପଯୋଗୀ ହୋଇଥିବା ସହିତ ଲୋକଙ୍କ ପାଇଁ ଛୋଟ କିନ୍ତୁ ଆବଶ୍ୟକୀୟ ପ୍ରକଳ୍ପଗୁଡ଼ିକୁ ଶୀଘ୍ରତରେ କାର୍ଯ୍ୟାନ୍ବୟ କରିବାରେ ସହାୟକ ହେବ।

*ପ୍ରକଳ୍ପର ସୁପାରିଶଠାରୁ କାର୍ଯ୍ୟାଦେଶ ପର୍ଯ୍ୟନ୍ତ ୩୦ ଦିନରେ ସମାପ୍ତ ହେବ।
*ଅନାବଶ୍ୟକ ପ୍ରକଳ୍ପ ବାଦ୍ଦିଆଯିବ, ଆବଶ୍ୟକ ପ୍ରକଳ୍ପକୁ ଗ୍ରହଣ କରାଯିବ।
*ବିଧାୟକମାନେ ପ୍ରକଳ୍ପ ସୁପାରିଶ, ଯୋଜନା, ବ୍ୟୟ, ତଦାରଖ ଓ ନିରୀକ୍ଷଣ ପର୍ଯ୍ୟନ୍ତ ପୋର୍ଟାଲ୍‌ ମାଧ୍ୟମରେ କରିପାରିବେ।

*ଜନସାଧାରଣ ମଧ୍ୟ ନିଜ ବିଧାୟକଙ୍କ ସୁପାରିଶିତ ପ୍ରକଳ୍ପ ସ୍ଥିତି ବିଷୟରେ ଅନଲାଇନରେ ଅବଗତ ହୋଇପାରିବେ।

ସୂଚନାଯୋଗ୍ୟ, ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଯୋଜନା ୧୯୯୭-୯୮ରୁ ଆରମ୍ଭ ହୋଇଥିଲା। ପ୍ରଥମେ ୫ ଲକ୍ଷରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବ୍ୟୟ ୩ କୋଟି ପର୍ଯ୍ୟନ୍ତ ବଢ଼ିଥିଲା। ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ୫ କୋଟି ଟଙ୍କା ବ୍ୟୟ ବରାଦ୍‌ କରାଯାଇଛି।

ଏହି ସରଳୀକୃତ ଗାଇଡଲାଇନ୍‌ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ହୋଇଥିବା ସହିତ ବିଧାୟକମାନଙ୍କ ପରାମର୍ଶ ଓ ପଡ଼ୋଶୀ ରାଜ୍ୟର ନିର୍ଦ୍ଦେଶାବଳୀର ଅଧ୍ୟୟନ ଆଧାରରେ ପ୍ରସ୍ତୁତି ହୋଇଛି।ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପୋର୍ଟାଲ୍‌ ସମ୍ବନ୍ଧୀୟ ସୂଚନା ଦେଇଥିଲେ ଓ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *