ଚମୋଲୀରେ ପୁଣି ବାଦଲ ଫାଟିଲା: ବନ୍ୟା-ଭୂସ୍ଖଳନ୍ରେ ୨ ନିଖୋଜ
ଚମୋଲୀ: ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ପୁଣି ଥରେ ବାଦଳ ଫଟା ଘଟଣା ଘଟି ବିପତ୍ତିକର ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଦେବଲାଳ୍ ବ୍ଲକର ମୋପଟା ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନ୍ ଦେଖାଦେଇଛି। ସୂଚନା ଅନୁସାରେ, ଏହି ଘଟଣାରେ ଦୁଇଜଣ ବ୍ୟକ୍ତି ନିଖୋଜ ହୋଇଥିବା ଜଣାପଡ଼ିଛି। କେଦାରଘାଟୀର ଲାଭାରା ଗ୍ରାମରେ ଏକ ପୋଲ ଭାଙ୍ଗିଯାଇଛି, ଯାହା ଚେନାଗଡ଼ ଅଞ୍ଚଳରେ ସଙ୍କଟକୁ ଆହୁରି ବୃଦ୍ଧି କରିଛି।
ରୁଦ୍ରପ୍ରୟାଗ ଜିଲ୍ଲାରେ ଆଲକନନ୍ଦା ନଦୀର ଜଳସ୍ତର ବିପଦ ସଙ୍କେତ ସ୍ତରକୁ ଅତିକ୍ରମ କରିଛି, ଯାହା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ପାହାଡ଼ି ଅଞ୍ଚଳରେ ଭୂସ୍ଖଳନ୍ ହେବାରୁ ମାଲାରୀ ଜାତୀୟ ରାସ୍ତା ଲାଟା ଗ୍ରାମ ନିକଟରେ ବନ୍ଦ ହୋଇଯାଇଛି। ଏହି ରାସ୍ତା ଭାରତ-ଚୀନ୍ ସୀମାନ୍ତକୁ ସଂଯୋଗ କରୁଥିବାରୁ ଏହାର ବନ୍ଦ ହେବା ଯୋଗାଯୋଗ ବ୍ୟବସ୍ଥାକୁ ପ୍ରଭାବିତ କରିଛି। ବାସୁ କେଦାରରେ ଚାରିଟି ଘର ବନ୍ୟାରେ ସମୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି, ତଥାପି ସମସ୍ତ ବାସିନ୍ଦାଙ୍କୁ ନିରାପଦେ ଉଦ୍ଧାର କରାଯାଇଛି।
ରୁଦ୍ରପ୍ରୟାଗରେ ହନୁମାନ ମନ୍ଦିର ଜଳମଗ୍ନ ହୋଇଛି ଏବଂ ଅନେକ ଗୃହରେ ପାଣି ପ୍ରବେଶ କରିଛି। ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ଦେଖାଦେଇଛି, କାରଣ ଗାଁଗୁଡ଼ିକରେ ଭଗ୍ନାବଶେଷ ଓ ଧ୍ୱଂସସ୍ତୂପ ଦେଖିବାକୁ ମିଳୁଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଦେହରାଦୁନ, ବାଗେଶ୍ୱର, ନୈନିଟାଲ୍ ଓ ପୀଠୋରାଗଢ଼ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି, ଯେଉଁଠାରେ ଅତ୍ୟଧିକ ବର୍ଷାର ଆଶଙ୍କା ରହିଛି।
ଘଟଣାର ସୂଚନା ମିଳିବା ମାତ୍ରେ ପ୍ରଶାସନିକ ଦଳଗୁଡ଼ିକ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସରେ ସୂଚନା ଦେଇ କହିଛନ୍ତି, “ସ୍ଥାନୀୟ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମୁଁ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି। କିଛି ପରିବାର ଭଗ୍ନାବଶେଷରେ ଫସି ରହିଥିବାର ଦୁଃଖଦ ଖବର ମିଳିଛି। ଆମେ ସମସ୍ତଙ୍କୁ ନିରାପଦ ସ୍ଥାନାନ୍ତର ଓ ସହାୟତା ପ୍ରଦାନ ପାଇଁ ପ୍ରୟାସ ଜାରି ରଖିଛୁ।”
ଏହି ପ୍ରାକୃତିକ ବିପର୍ଯ୍ୟୟ ଚମୋଲୀ ଓ ରୁଦ୍ରପ୍ରୟାଗରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଲାଟା ଗ୍ରାମ ନିକଟରେ ଭୂସ୍ଖଳନ୍ ଯୋଗୁଁ ମାଲାରୀ ରାସ୍ତା ବନ୍ଦ ହେବାରୁ ୧୨ଟି ଗ୍ରାମର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଶାସନ ଏହି ସଙ୍କଟମୟ ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ସହାୟତା ଓ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାରେ ନିୟୋଜିତ ରହିଛି।
