ଦେଶରେ ବଢୁଛି ବେସାମରିକ ବିମାନ ଚଳାଚଳ: ୩୫୦ ନୂଆ ବିମାନ ବନ୍ଦର ନିର୍ମାଣର ଲକ୍ଷ୍ୟ

ଭୁବନେଶ୍ୱର: ବିଗତ ୧୦ ବର୍ଷରେ ଦେଶରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। ଦେଶର ଅନେକ ଛୋଟ ସହରରେ ବିମାନବନ୍ଦର ନିର୍ମିତ ହୋଇଥିବା ବେଳେ ‘ବିକଶିତ ଭାରତ ୨୦୪୭’ ଯୋଜନା ଅନୁଯାୟୀ ଦେଶରେ ୩୫୦ଟି ନୂଆ ଏୟାରପୋର୍ଟ ନିର୍ମାଣର ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଆସନ୍ତା ୧୦ ବର୍ଷରେ ଦେଶରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଏହି ପ୍ରସଙ୍ଗରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି ଯେ, ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରର କଳେବର ବୃଦ୍ଧି ହେବାକୁ ଯାଉଛି। ବିମାନବନ୍ଦରରେ ଟର୍ମିନାଲ-୩ର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ବର୍ତ୍ତମାନ ଏହା ପ୍ଲାନିଂ ଷ୍ଟେଜରେ ରହିଛି। ବିମାନବନ୍ଦରର କ୍ୟାପାସିଟି ବୃଦ୍ଧି ହେଉଥିବାରୁ ଟର୍ମିନାଲ-୩ର ଆବଶ୍ୟକତା ରହିଛି। ଏହାସହ ପୁରୁଣା ଟର୍ମିନାଲରେ ନୂଆ ବିଲଡିଂ ନିର୍ମାଣର ଯୋଜନା ରହିଛି। ଟର୍ମିନାଲରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟର ପ୍ରଦର୍ଶନ କରାଯିବ, ଯାହା ଯାତ୍ରୀମାନଙ୍କୁ ଆକର୍ଷିତ କରିବ। ଏହାବାଦ ଓଡ଼ିଶାରେ ଥିବା ୨୦ଟି ଏୟାରଷ୍ଟ୍ରିପକୁ ଡେଭେଲପ୍‌ କରି ନିକଟ ଭବିଷ୍ୟତରେ ଏୟାରପୋର୍ଟରେ ରୂପାନ୍ତରିତ କରିବାର ଯୋଜନା ରହିଛି। ତେବେ ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ।

ପୁରୀରେ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଆପ୍ରୁଭାଲ୍‌ ଦିଆଯାଇସାରିଛି। ଏବେ ଏହାର କାର୍ଯ୍ୟ ଆରମ୍ଭ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି। ମନ୍ତ୍ରୀ ନାଇଡୁ କହିଛନ୍ତି, “ଆମର ବି ଅପେକ୍ଷା ରହିଛି ଯେ ରାଜ୍ୟ ସରକାର ପୁରୀରେ ବିମାନବନ୍ଦର କାର୍ଯ୍ୟକୁ ଆଗେଇ ନେବେ।”

ବିଜୁ ପଟ୍ଟନାୟକ ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, “ଭୁବନେଶ୍ୱର ବିମାନବନ୍ଦରର କ୍ୟାପାସିଟି ବୃଦ୍ଧି ହେଉଥିବାରୁ ଟର୍ମିନାଲ-୩ର ନିର୍ମାଣ ଆବଶ୍ୟକ। ପୁରୁଣା ଟର୍ମିନାଲରେ ନୂଆ ବିଲଡିଂ ନିର୍ମାଣ କରି ଓଡ଼ିଶାର ସଂସ୍କୃତିକୁ ପ୍ରଦର୍ଶିତ କରାଯିବ।”

ଏହି ସବୁ ପ୍ରସଙ୍ଗ ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ। ଏହି ସମ୍ମିଳନୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ କେ ରାମମୋହନ ନାଇଡୁ ଯୋଗ ଦେଇଛନ୍ତି। ସମ୍ମିଳନୀର ଫୋକସ୍‌ ରହିଛି ଆଞ୍ଚଳିକ ବିମାନ ସେବା ଉପରେ। ପୂର୍ବ ଭାରତର ରାଜ୍ୟଗୁଡ଼ିକ ଯଥା ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଏବଂ ଆଣ୍ଡାମାନ ନିକୋବର ଭିତରେ ଆଞ୍ଚଳିକ ବିମାନ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି। ଦିନିକିଆ ସମ୍ମିଳନୀରେ ପୂର୍ବ ଭାରତର ଏୟାରପୋର୍ଟ ଓ ହେଲିପୋର୍ଟ ଉନ୍ନତି ମଡେଲ୍‌କୁ ନେଇ ବିଚାର ବିମର୍ଶ ଚାଲିବ। ଏହାବାଦ ଆଗାମୀ ଦିନରେ ପୂର୍ବ ଭାରତର ସବୁ ବିମାନବନ୍ଦରରେ ଜରୁରିକାଳୀନ ହେଲିକପ୍ଟର ମେଡିକାଲ ସେବା (ଏଚ୍‌ଇଏମ୍‌ଏସ୍‌) ଉପଲବ୍ଧ କରାଇବାର ଯୋଜନା ରହିଛି। ଏହି ସେବାର ଭିତ୍ତିଭୂମିକୁ ନେଇ ଆଲୋଚନା କରାଯିବ। ବିଭିନ୍ନ ଶିଳ୍ପ ସଂସ୍ଥାର ସହଯୋଗରେ ବିମାନ ଚଳାଚଳରେ ନିବେଶ ବୃଦ୍ଧି ଏବଂ ପିପିପି ମୋଡ଼ରେ ବେସାମରିକ ବିମାନ ଭିତିଭୂମିର ଆଧୁନିକରଣ ପାଇଁ ଆଲୋଚନା ହେବ।

ଏହି ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହାସହ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ମୁରଲୀଧର ମୋହୋଲ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ମଧୁ ସୁଦାନ ଶଙ୍କର, ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏବଂ ବିଭାଗୀୟ ସଚିବ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଅଛନ୍ତି। ଏହି ସମ୍ମିଳନୀ ପୂର୍ବ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ନୂଆ ଦିଗନ୍ତ ଖୋଲିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *