ଦେଶରେ ମାଡୁଛି ଚାଇନା ଭାଇରସ, କେନ୍ଦ୍ର ସରକାର ଆଲର୍ଟ

ନୂଆଦିଲ୍ଲୀ: ପୁଣି ଡରାଇଲା ଚୀନ୍ ଭାଇରସ୍ । କୋରୋନା ପରେ HMPVକୁ ନେଇ ଭାରତରେ ଆଲର୍ଟ । ଏହି HMPV ଭାଇରସ୍ ୩ ଜଣ ଶିଶୁଙ୍କଠାରୁ ଠାବ ହେବା ପରେ ଦିଲ୍ଲୀ, କର୍ଣ୍ଣାଟକ ଓ ଗୁଜରାଟରେ ଜାରି ହୋଇଛି ସତର୍କତା । ଦିଲ୍ଲୀରେ ସନ୍ଦିଗ୍ଧ ଆକ୍ରାନ୍ତ ଆଇସୋଲେସନରେ ରହିବାକୁ ଗାଇଡାଇଲାଇନ ଜାରି କରାଯାଇଥିବା ବେଳେ କର୍ଣ୍ଣାଟକରେ ଫେରିଛି ମାସ୍କ କଟକଣା । କର୍ଣ୍ଣାଟକରେ ଥଣ୍ଡା-ଜ୍ବର-କାଶ ରୋଗୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏହା କୌଣସି ନୂଆ ଭୂତାଣୁ ନୁହେଁ । ୨୦୦୧ମସିହାରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା। ତେବେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଚିନ୍ତା କରିବାର କିଛି ନାହିଁ ।

ଚୀନର ଏଚଏମପିଭି ଭାଇରସ୍ ଦ୍ରୁତ ଗତିରେ ବଢ଼ିବା ସହ ବିଶ୍ୱରେ ବ୍ୟାପିବା ଆରମ୍ଭ କରିଛି। ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ବର୍ତ୍ତମାନ ସୁଦ୍ଧା ଦେଶରେ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସବୁ କ୍ଷେତ୍ରରେ ଶିଶୁମାନଙ୍କଠାରେ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଅହମ୍ମଦାବାଦରେ ଜଣେ, ବେଙ୍ଗାଲୁରୁରେ ୨ ଜଣ, ଚେନ୍ନାଇରେ ୨ ଜଣ ଏବଂ କୋଲକାତାରେ ଜଣେ ଶିଶୁ ମଧ୍ୟ ହ୍ୟୁମାନ ମେଟାପ୍ୟୁମୋଭାଇରସ୍ (ଏଚ୍ଏମପିଭି) ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି। ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ ବୟାନ ଆସିଛି । ଏହାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।

କର୍ଣ୍ଣାଟକ, ଗୁଜରାଟ ଓ ମହାରାଷ୍ଟ୍ର ସରକାର ଲୋକଙ୍କୁ କହିଛନ୍ତି ଯେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରାଜଧାନୀର ସମସ୍ତ ହସ୍ପିଟାଲକୁ ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁଯାୟୀ, ୩ ମାସର ନାବାଳିକା ଜଣକ ବ୍ରୋଙ୍କୋପୋମୋନିଆରୋଗରେ ପୀଡ଼ିତ ଥିଲେ। ପରିବାର ଲୋକେ ତାଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସେ ଏଚଏମପିଭିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଗତ ଜାନୁଆରି ୩ ତାରିଖରେ ବ୍ରୋଙ୍କୋପ୍ୟୁମୋନିଆରେ ପୀଡ଼ିତ ଜଣେ ୮ ମାସର ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଏଚ୍ଏମପିଭି ପଜିଟିଭ୍ ଚିହ୍ନଟ ହୋଇଥିଲେ। ଶିଶୁଟି ଏବେ ସଂକ୍ରମଣରୁ ସୁସ୍ଥ ହୋଇଛି। ଉଭୟ ପିଲାଙ୍କର କୌଣସି ଅନ୍ତର୍ଜାତୀୟ ଯାତ୍ରାର ରେକର୍ଡ ନାହିଁ।

ଗୁଜରାଟର ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦୁଇ ମାସର ଶିଶୁ ମଧ୍ୟ ଏଚ୍ଏମପିଭିରେ ପଜିଟିଭ୍ ଚିହ୍ନଟ ହୋଇଛି। ଶିଶୁଟି ରାଜସ୍ଥାନର ଡୁଙ୍ଗରପୁରର ବାସିନ୍ଦା। ଶ୍ୱାସକ୍ରିୟାସଂକ୍ରମଣର ଲକ୍ଷଣ ଦେଖାଦେବାରୁ ଡିସେମ୍ବର ୨୪ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ତାମିଲନାଡୁର ମାମଲା ସମ୍ପର୍କରେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଚେନ୍ନାଇରେ ୨ ଜଣ ଶିଶୁଙ୍କ ଠାରେ ମାନବ ମେଟାପ୍ୟୁମୋ ଭାଇରସ୍ ଚିହ୍ନଟ ହୋଇଛି। ସେମାନଙ୍କୁ ଚିକିତ୍ସା କରାଯାଉଛି। ଅପରପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏଚଏମପିଭି ରହିଛି । ମନ୍ତ୍ରଣାଳୟ ଏହାର ସ୍ଥିତି ଉପରେ ନଜର ରଖିଛି।

Leave a Reply

Your email address will not be published. Required fields are marked *