ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ବଢିଲା ଚର୍ଚ୍ଚା
ଭୁବନେଶ୍ବର: ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ବଢିଛି | ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିବାବେଳେ କରିବାକୁ ସନ୍ଧ୍ୟାରେ ରାଜ୍ୟପାଳ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନକୁ ଯାଇ ତାଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ଦୁଇଟି ଭେଟଘାଟ ଗତକାଲି ହୋଇଥିବାବେଳେ ଆଜି ଦିଲ୍ଲୀ ଯାଇଛନ୍ତି ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ । ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇଥିବା ସୂଚନା ମିଳିଛି । ମନମୋହନ ଦିଲ୍ଲୀରେ ବିଜେପିର ନେତୃବୃନ୍ଦକୁ ସାକ୍ଷାତ କରିପାରନ୍ତି ଓ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା କରିପାରନ୍ତି |
ଉଲ୍ଲେଖ ଥାଉ କି ୧୩ମାସର ସରକାରରେ ମଧ୍ୟ ୬ଟି ମନ୍ତ୍ରୀ ପଦ ଖାଲି ଅଛି। ବିଜେପି ରାଜ୍ୟ ସଭାପତି ନିର୍ବାଚନ ପରେ ଏହା ପୂରଣ ହେବ ବୋଲି କୁହାଯାଉଥିଲା। ହେଲେ ମନମୋହନ ସାମଲ ସଭାପତି ହେବା ପରେ ମଧ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗ ଅଟକିରହିଛି ।
ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ସହ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ନୂଆ ମନ୍ତ୍ରୀଙ୍କ ଶପଥ ନେଇ ଆଲୋଚନା କରିଛନ୍ତି। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ବିଭିନ୍ନ ନିଗମ ଓ ବୋର୍ଡର ପଦ ପୂରଣ ପରେ ଶୁକ୍ରବାର ବେଳକୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରେ । କିନ୍ତୁ ଆଉ କେତେକ କହୁଛନ୍ତି, ଏହା ନେଇ କୌଣସି ଆଲୋଚନା ହୋଇନାହିଁ।
ଅନ୍ୟପଟେ, ରାଜ୍ୟରେ ଆଇନଶଙ୍ଖଳା ପରିସ୍ଥିତି ଦିନକୁ ଦିନ ଖରାପ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି |
