ଜନତାଙ୍କ ସହ ସରକାରଙ୍କ ସିଧାସଳଖ ଯୋଗାଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ

ଭୁବନେଶ୍ୱର: ଆଜିଠାରୁ ଓଡ଼ିଶାରେ ଆରମ୍ଭ ହେଲା “ଆମ ଶାସନ” ବ୍ୟବସ୍ଥା, ଯାହା ନାଗରିକ ଓ ସରକାରଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ସହ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବିଭିନ୍ନ ମନ୍ତ୍ରୀ ଓ ସଚିବମାନେ ଉପସ୍ଥିତ ଥିଲେ।

“ଆମ ଶାସନ” ହେଉଛି ଏକ ଟେକ୍ନୋଲୋଜି-ସକ୍ଷମ ଯୋଗାଯୋଗ କେନ୍ଦ୍ର, ଯାହା ନାଗରିକଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବା ପାଇଁ ଏକ ବ୍ୟାପକ ବ୍ୟବସ୍ଥା ପ୍ରଦାନ କରିବ। ଏହା ପୂର୍ବରୁ ମୋ ସରକାର ଢାଞ୍ଚାରେ କାର୍ଯ୍ୟ କରୁଥିବା ଏହି ବ୍ୟବସ୍ଥା ଜନସାଧାରଣଙ୍କ ଅଭିଯୋଗ ଓ ମତାମତ ଶୁଣିବା ପାଇଁ ଏକ ସୁଗମ ମାଧ୍ୟମ ସୃଷ୍ଟି କରିବ। ସରକାର ଏହି ବ୍ୟବସ୍ଥା ପାଇଁ ଟୋଲ୍‌ ଫ୍ରି ନମ୍ବର ୧୪୪୭୧, ହ୍ଵାଟ୍ସଆପ୍‌ ଚାଟ୍‌ ପାଇଁ ୭୪୦୦୨୨୧୯୦୩ ଏବଂ ୱେବସାଇଟ୍‌ ଚାଟ୍‌ ବଟ୍‌ ପାଇଁ amashasan.odisha.gov.in ଜାରି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଭିଭାଷଣରେ କହିଛନ୍ତି, “ଆମ ଶାସନ ଜରିଆରେ ସରକାର ଓ ଲୋକଙ୍କ ମଧ୍ୟରେ ଦୂରତ୍ୱ କମିବ ଏବଂ ସ୍ୱଚ୍ଛତା ଓ ପାରଦର୍ଶିତାରେ ଉନ୍ନତି ଆସିବ। ଆମେ ଜଣଙ୍କ ବିକାଶ ନୁହେଁ, ଗଣବିକାଶ ପ୍ରତି ଗୁରୁତ୍ୱ ଦେଉଛୁ। ଗତ ୧୪ ମାସରେ ସରକାର ଦେଇଥିବା ପ୍ରତିଶୃତିର ଅଧାରୁ ଅଧିକ କାର୍ଯ୍ୟକାରୀ ହୋଇଛି। ଡିଜିଟାଲ ଇଣ୍ଡିଆ ଓ ଡିବିଟି (ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର) ଯୋଗୁଁ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପହଞ୍ଚୁଛି, କୌଣସି ବାଟମରଣ ହେଉନାହିଁ।”

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀ ନୁହେଁ, ମୁଖ୍ୟ ସେବକ ଭାବରେ କାର୍ଯ୍ୟ କରୁଛି। ଆମର ସବୁ ଯୋଜନା ନାଗରିକ କେନ୍ଦ୍ରିକ। ଲୋକଙ୍କ ମତାମତ ହିଁ ଆମ ଶାସନର ପ୍ରତିଫଳନ।” ଏହି ବ୍ୟବସ୍ଥା ସରକାରୀ ଅଧିକାରୀଙ୍କୁ ଦାୟିତ୍ୱବାନ ଓ ଉତ୍ତରଦାୟୀ କରିବା ସହ ସମୃଦ୍ଧ ଓଡ଼ିଶା ୨୦୩୬ ଓ ବିକଶିତ ଓଡ଼ିଶା ୨୦୪୭ ଲକ୍ଷ୍ୟରେ ସହାୟକ ହେବ।

ପ୍ରଥମ ପର୍ଯ୍ୟାୟରେ ୮ଟି ବିଭାଗର ୧୩ଟି ଯୋଜନାକୁ “ଆମ ଶାସନ”ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ମଧ୍ୟରେ ଅନ୍ତୋଦୟ ଗୃହ ଯୋଜନା, ମଧୁବାବୁ ପେନ୍‌ସନ ଯୋଜନା, ଶୁଭଦ୍ରା, ଶ୍ରୀ ଅନ୍ନ, ସିଏମ୍‌ କିଶନ ଯୋଜନା, ମଧୋ ସିଂ ହାତଖର୍ଚ୍ଚ ଯୋଜନା, ଧାନ ସଂଗ୍ରହ, ଆୟୁସ୍ମାନ ଭାରତ ଓ ଗୃହ ବିଭାଗର ଏଫଆଇଆର ପରି ସେବା ରହିଛି। ମୋଟ ୩୨ଟି ବିଭାଗର ୪୦୦ରୁ ଅଧିକ ସେବା ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉଛି।

ଲୋକେ ହ୍ଵାଟ୍ସଆପ୍‌, ଇ-ମେଲ୍‌, ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ଟୋଲ୍‌ ଫ୍ରି ନମ୍ବର ୧୪୪୭୧ ମାଧ୍ୟମରେ ନିଜର ଅଭିଯୋଗ ଓ ମତାମତ ପଞ୍ଜୀକରଣ କରିପାରିବେ। ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କ ସହ ସଂଯୋଗ ସ୍ଥାପନ କରି ସେମାନଙ୍କ ଅଭିଯୋଗ ଶୁଣିବେ।

Leave a Reply

Your email address will not be published. Required fields are marked *