ରାତିରେ ନାଇଟ୍ ପାଟ୍ରୋଲିଂ ସହ ୨ ହଜାର ଟ୍ରାଫିକ ପୋଲିସ ନିଯୁକ୍ତି ପାଇଁ ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହାପରେ ୨ ହଜାର ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ନିଯୁକ୍ତି ପାଇଁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ରବିବାର ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୨୧୯୮ ଜଣ ଟ୍ରାଫିକ୍ ଅଧିକାରୀ ସକ୍ରିୟ ଥିବା ନେଇ ଆଲୋଚନା ହୋଇଥିଲା। ତେବେ ରାଜ୍ୟରେ ବଢୁଥିବା ଜନସଂଖ୍ୟା ଓ ପରିବହନ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ୨ହଜାର ଟ୍ରାଫିକ୍ ପୁଲିସ ଅଫିସର ପଦବୀ ସୃଷ୍ଟି ଜରୁରୀ ବୋଲି ବିଚାର କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ସଡ଼କ ଦୁର୍ଘଟଣା ହ୍ରାସ, ସାଇବର ଅପରାଧର ମୁକାବିଲା ଓ ଗଞ୍ଜେଇ ଚାଷ ବନ୍ଦ ଉପରେ ଗୁରୁତ୍ୱାରୋପ କରିଥିଲେ। ସାରା ରାଜ୍ୟରେ ୨୦ଟି ନୂଆ ସାଇବର ଥାନା ପ୍ରତିଷ୍ଠା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ଓଡ଼ିଶାରେ ମାତ୍ର ୧୪ଟି ସାଇବର ଥାନା କାର୍ଯ୍ୟ କରୁଥିବା ବେଳେ ରାଜ୍ୟରେ ରୁଜୁ ହୋଇଥିବା ୨୬୩୩ଟି ସାଇବର କ୍ରାଇମ୍ ମାମଲାର ସମାଧାନ କରାଯାଉଛି। ତେଣୁ ପ୍ରତ୍ୟେକ ଷ୍ଟେସନକୁ ସମ୍ପୂର୍ଣ୍ଣ ସୁସଜ୍ଜିତ ଓ କାର୍ଯ୍ୟକ୍ଷମ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର ଓ କଟକରେ ଅପରାଧ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପୁଲିସକୁ ନାଇଟ୍ ପାଟ୍ରୋଲିଂ ବଢ଼ାଇବା ସହ ପ୍ରମୁଖ ଅଞ୍ଚଳରେ ସତର୍କତା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶେଷରେ ରାଜ୍ୟରେ ଗଞ୍ଜେଇ ଚାଷ ଓ ପରିବହନ ବିରୋଧରେ କଠୋର ପଦକ୍ଷେପ ନେବାକୁ ପୁଲିସକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ‘ଗ୍ରୀନ୍ କ୍ଲିନ୍’ ଅଭିଯାନ ଅଧୀନରେ ସାମ୍ପ୍ରତିକ ପଦକ୍ଷେପ ୨୦୨୬ ସୁଦ୍ଧା ଓଡ଼ିଶାକୁ ଗଞ୍ଜେଇମୁକ୍ତ କରିବା ଦିଗରେ ଗମ୍ଭୀରତା ଦେଖାଇଛି। ବିପର୍ଯ୍ୟୟ ପରିଚାଳନା, ଡିଜି ଓ ଆଇଜି ସମ୍ମିଳନୀ, ପୁରୀରେ ନୌସେନା ଦିବସ ପାଳନ ଏବଂ ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସୁରକ୍ଷା ପ୍ରତି ଓଡ଼ିଶା ପୁଲିସର ପ୍ରତିବଦ୍ଧତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *