ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ

କଟକ: ଆସନ୍ତା ଫେବ୍ରୁଆରି ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଟିକେଟ୍ କିଣିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଆକାଉଣ୍ଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ସିଏମ୍ଓ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, କଟକ ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରି ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟମ୍ୟାଚ୍ ଖେଳାଯିବ। କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ)ର କର୍ମକର୍ତ୍ତାମାନେ ଅନୁଗୁଳ ବିଧାୟକ ତଥା ଆପେକ୍ସ କାଉନସିଲ୍ ସଦସ୍ୟ ପ୍ରତାପ ପ୍ରଧାନ, ଓଡ଼ିଶା ଅଲିମ୍ପିକ୍ ସଂଘର ସମ୍ପାଦକ ଅଭିଜିତ ପାଲ୍ ଓ ପୂର୍ବତନ ବିଧାୟକ ଲଳିତେନ୍ଦୁ ମହାପାତ୍ରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମ ମ୍ୟାଚ୍ ଟିକେଟ୍ କିଣିଥିଲେ।
ଅନ୍ୟପକ୍ଷରେ କ୍ରିକେଟ ଆସୋସିଏସନର ପ୍ରତିନିଧିମାନେ ପୁରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ତିନି ଠାକୁରଙ୍କୁ ମ୍ୟାଚ ପାଇଁ ନିମନ୍ତ୍ରଣ କରିଛନ୍ତି।
ସୂଚନାଯୋଗ୍ୟ, ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ପୂର୍ବରୁ ଓସିଏ ପକ୍ଷରୁ ଘୋଷଣା କରାଯାଇଥିବା ଟିକେଟ୍ ମୂଲ୍ୟ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହକୁ ଦୁଇ ଗୁଣା କରିଥିଲା। ଓସିଏ ଟିକେଟ ମୂଲ୍ୟ ପ୍ରାୟ ଦେଢ଼ ଗୁଣ ବୃଦ୍ଧି କରିଥିବାରୁ ଗ୍ୟାଲେରୀରୁ ମ୍ୟାଚ୍ ଦେଖିବା ପାଇଁ ସେମାନଙ୍କୁ ଅତ୍ୟଧିକ ମୂଲ୍ୟ ଦେବାକୁ ପଡ଼ୁଛି ବୋଲି କ୍ରିକେଟ୍ ପ୍ରେମୀମାନେ ଅଭିଯୋଗ କରିଛନ୍ତି।
ତେବେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଟିକେଟ୍ ଦର ବୃଦ୍ଧିକୁ ନେଇ କ୍ରିକେଟ୍ ପ୍ରେମୀ ଓ ପୂର୍ବତନ କ୍ରିକେଟରମାନେ ଆପତ୍ତି ଉଠାଇବା ପରେ ଓସିଏ ଗତ ବର୍ଷ ନଭେମ୍ବର ୧୯ତାରିଖରେ ଟିକେଟ୍ ଦର କମାଇବ ବୋଲି ଘୋଷଣା କରିଥିଲା।
ବାରବାଟୀ ଷ୍ଟାଡିୟମରେ ଶେଷ ଥର ପାଇଁ ଡିସେମ୍ବର ୨୨, ୨୦୧୯ରେ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ଏହା ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା। ଦୀର୍ଘ ଦିନର ବ୍ୟବଧାନ ପରେ ଷ୍ଟାଡିୟମକୁ ଦିନିକିଆ ଫେରିଛି।