ଖଲ୍ଲିକୋଟରେ କଂଗ୍ରେସ ବୈଠକରେ ହଙ୍ଗାମା, ସଭାସ୍ଥଳ ରଣକ୍ଷେତ୍ର ପାଲଟିଲା
ଖଲ୍ଲିକୋଟ: କଂଗ୍ରେସର ସଂଗଠନ ସୃଜନ ଅଭିଯାନ ମଧ୍ୟରେ ଖଲ୍ଲିକୋଟରେ ବଡ଼ ବୈଠକ ହେବାକୁ ଥିଲା। ପିସିସି ପକ୍ଷରୁ ସେପ୍ଟେମ୍ବର ୧ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ୨୦୨୪ ନିର୍ବାଚନ ପରେ ପ୍ରଥମଥର ପାଇଁ ଖଲ୍ଲିକୋଟରେ ଏହି ବଡ଼ ବୈଠକ ବସିଥିଲା।
ବୈଠକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା ନିଜ ଅଭିଭାଷଣ ସମୟରେ ବିବାଦୀୟ ବୟାନ ଦେବା ପରେ ସଭାସ୍ଥଳ ରଣକ୍ଷେତ୍ର ପାଲଟିଯାଇଥିଲା। ସେ ୨୦୨୪ ନିର୍ବାଚନ ସମୟରେ କଂଗ୍ରେସ କର୍ମୀମାନେ ଅନ୍ୟ ଦଳକୁ ବିକ୍ରି ହୋଇଥିବା ବାବଦରେ କହିଥିଲେ। ଏହାକୁ ନେଇ ସମସ୍ତ କଂଗ୍ରେସ କର୍ମୀ ଉତ୍କ୍ଷୀପ୍ତ ହୋଇ ପଡିଥିଲେ ଏବଂ ବେହେରାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।
ଏହି ସମୟରେ ସଭାସ୍ଥଳରେ ଅବ୍ୟବସ୍ଥା ସୃଷ୍ଟି ହୋଇଥିଲା ଏବଂ କାର୍ୟ୍ୟକ୍ରମ ଅଧାରୁ ବନ୍ଦ କରିବାକୁ ପଡିଥିଲା। ଏହି ସମୟରେ ପୂର୍ବତନ ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ସଚିନ ନାୟକ ଓ ପିସିସି ପର୍ୟ୍ୟବେକ୍ଷକ ସ୍ୱାଗତିକା ପଟ୍ଟନାୟକ ସହିତ ଅନ୍ୟାନ୍ୟ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ।
ଏହି ଅଭାବନୀୟ ପରିସ୍ଥିତି ନେଇ କଂଗ୍ରେସର ଅଭିଯାନରେ ଏବେ ନୂତନ ଚର୍ଚ୍ଚା ସୃଷ୍ଟି ହୋଇଛି।
