ଦେଶର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି: ମମତା ବାନାର୍ଜୀ ସବୁଠୁ କମ୍, ଚନ୍ଦ୍ରବାବୁ ନାଇଡୁ ସବୁଠୁ ଧନୀ
ନୂଆଦିଲ୍ଲୀ: ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପତ୍ତି ସବୁଠାରୁ କମ୍ ରହିଛି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ମାତ୍ର ୧୫ ଲକ୍ଷ ଟଙ୍କା। ଅନ୍ୟପକ୍ଷରେ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଭାବେ ଚିହ୍ନଟ ହୋଇଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୯୩୧ କୋଟି ଟଙ୍କା।
ରିପୋର୍ଟ ଅନୁଯାୟୀ, ଚନ୍ଦ୍ରବାବୁଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ। ତାଙ୍କ ସମ୍ପତ୍ତିର ମୂଲ୍ୟ ୩୩୨ କୋଟି ଟଙ୍କା। ଏହା ବ୍ୟତୀତ, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସମ୍ପତ୍ତି ୫୫ ଲକ୍ଷ ଟଙ୍କା ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ସାମାନ୍ୟ ଅଧିକ ରହିଛି।
ଏଡିଆର୍ ଏହି ତଥ୍ୟ ସମ୍ପୃକ୍ତ ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀମାନେ ଦାଖଲ କରିଥିବା ସତ୍ୟପାଠରୁ ସଂଗ୍ରହ କରିଛି। ଏହି ରିପୋର୍ଟ ଦେଶର ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସ୍ଥିତି ଉପରେ ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଛି।
