କାନାଡା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ମଧ୍ୟ ଦଳୀୟ ନେତା ପଦରୁ ଇସ୍ତଫା ଦେଇଛନ୍ତି। ସରକାର ଓ ବ୍ୟକ୍ତିଗତ ଭାବେ ସମାଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଦେଶ ଉଦ୍ଦେଶ୍ୟରେ ଦିଆଯାଇଥିବା ଅଭିଭାଷଣ ସମୟରେ ଟ୍ରୁଡୋ ଇସ୍ତଫା ଘୋଷଣା କରିଛନ୍ତି। ପତ୍ନୀ ଓ ପିଲାମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।

ନିଜ ଅଭିଭାଷଣରେ ସେ ଏହା ମଧ୍ୟ କହିଛନ୍ତି ଯେ ଦଳର ଆଭ୍ୟନ୍ତରୀଣ ବିବାଦ କାର୍ଯ୍ୟକୁ ବହୁତ ପ୍ରଭାବିତ କରିଛି ଏବଂ ସେ ଅନୁଭବ କରିଛନ୍ତି ଯେ ଦଳ ଏବଂ ଦେଶକୁ ନୂଆ ଶକ୍ତି ଏବଂ ନେତୃତ୍ୱ ଦେବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଟ୍ରୁଡୋ ୨୦୧୩ରେ ଲିବରାଲ ନେତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଜଷ୍ଟିନ ଟ୍ରୁଡୋ ୧୧ ବର୍ଷ ଲିବରାଲ ପାର୍ଟିର ନେତା ଏବଂ ୯ ବର୍ଷ ପ୍ରଧାନମନ୍ତ୍ରୀ ଥିଲେ।

ନୂଆ ଦଳୀୟ ନେତା ଚୟନ ଏବଂ ସରକାରଙ୍କ ଭବିଷ୍ୟତ ନିଷ୍ପତ୍ତି ପାଇଁ ସମୟ ଦେଇ ସଂସଦକୁ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ଟ୍ରୁଡୋ ଗଭର୍ଣ୍ଣର ଜେନେରାଲଙ୍କୁ ଅନୁରୋଧ କରିଛନ୍ତି। ଟ୍ରୁଡୋ ତାଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ, କଞ୍ଜରଭେଟିଭ୍ ପାର୍ଟି ନେତା ପିଏରେ ପୋଲିଭେରେଙ୍କ ବିଷୟରେ ମଧ୍ୟ ମନ୍ତବ୍ୟ ଦେଇ କହିଛନ୍ତି ଯେ କାନାଡାର ନେତୃତ୍ୱ ନେବା ପାଇଁ ପୋଲିଭରେ ଉପଯୁକ୍ତ ବ୍ୟକ୍ତି ନୁହଁନ୍ତି ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ଅର୍ଥନୈତିକ ପ୍ରସଙ୍ଗରେ ତାଙ୍କର ମତ ଦେଶ ପାଇଁ କ୍ଷତିକାରକ ହୋଇପାରେ ।

ପ୍ରଧାନମନ୍ତ୍ରୀ ଭାବେ ନିଜର ଶେଷ ଭାଷଣରେ ଟ୍ରୁଡୋ କହିଥିଲେ ଯେ ସେ ଦେଶ ଏବଂ ଦଳ ପାଇଁ ସର୍ବଦା ଉପସ୍ଥିତ ରହିବେ, କିନ୍ତୁ ବର୍ତ୍ତମାନ ସେ ଜଣେ ନୂଆ ନେତାଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି ଯାହାଦ୍ୱାରା ଦଳ ଏକ ନୂଆ ଦିଗରେ ଆଗକୁ ବଢ଼ିପାରିବ । ଟ୍ରୁଡୋ ଗତ ୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦରେ ଥିବାରୁ ଏବଂ ତାଙ୍କ ନେତୃତ୍ୱରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥିବାରୁ ତାଙ୍କ ନିଷ୍ପତ୍ତି କାନାଡାର ରାଜନୀତିକୁ ବଦଳାଇ ଦେବ ବୋଲି ଆଶା କରାଯାଉଛି ।

ଏଥିସହ ପୂର୍ବରୁ ଇସ୍ତଫା ନଦେବାର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି। ଟ୍ରୁଡୋ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ ପାଇଁ, ୟୁକ୍ରେନକୁ ସମର୍ଥନ କରିବା ପାଇଁ ଏବଂ କାନାଡାବାସୀଙ୍କ ପାଇଁ ସେ ପୂର୍ବରୁ ଇସ୍ତଫା ଦେଇନଥିଲେ।

Leave a Reply

Your email address will not be published. Required fields are marked *