ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ । ସରକାରଙ୍କୁ ଘେରିବେ ବିରୋଧୀ

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ । ଏଥର ଦୁଇଟି ପର୍ଯ୍ୟାୟରେ ହେବ ବଜେଟ୍ ଅଧିବେଶନ । ପ୍ରଥମ ଅଧିବେସନ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୭ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ଏବଂ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପତି ଅଭିଭାଷଣ ରଖିବେ । ତେବେ ଦୁଇଟି ପର୍ଯ୍ୟାୟରେ ମୋଟ ୨୮ ଦିନର କାର୍ଯ୍ୟ ଦିବସ ରହିଛି । ମୋହନ ସରକାରଙ୍କ ଏହି ଦ୍ବିତୀୟ ବଜେଟରେ ବିରୋଧୀ ବାରବାଟି ଲାଇଟ ବନ୍ଦ ପ୍ରସଙ୍ଗ ଉଠାଇପାରନ୍ତି । ଏଥର ବଜେଟରେ ସରକାର କ’ଣ ନୂଆ ଘୋଷଣା କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି।
ବିଧାନସଭା ଅଧିବେଶନ ପୂର୍ବରୁ ବସିଛି ବିଜେପି , ବିଜେଡି ଓ କଂଗ୍ରେସ ବିଧାୟକ ଦଳର ବୈଠକ । ରାଜ୍ୟ ସରକାରଙ୍କୁ ଘେରିବାକୁ ଗତକାଲି ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେଡି ଓ କଂଗ୍ରେସ । ଧାନ କିଣାରେ କଟନୀଛଟନୀ, ରେଳ ଅନୁଦାନ କ୍ଷେତ୍ରରେ ଓଡିଶାକୁ ଅବହେଳା, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନାରୀ ନିର୍ଯ୍ୟାତନା ପ୍ରସଙ୍ଗ ଉଠାଇବ ବିଜେଡି । କଂଗ୍ରେସ ବି ରଣନୀତି କରିଛି । ଆଉ ଏହାକୁ କାଂଉଟର କରିବାକୁ ରଣନୀତି କରିଛି ବିଜେପି । ସଂସଦୀୟ ବ୍ୟାପର ମନ୍ତ୍ରୀ କହିଛନ୍ତି, ବିରୋଧୀ ଯେଉଁ ପ୍ରଶ୍ନ ଉଠାଇବେ ତାର ମୁକାବିଲା ଓ ସମସ୍ତ ପ୍ରକାର ପ୍ରସଙ୍ଗରେ ଆଲୋଚନା ପାଇଁ ଶାସକ ଦଳ ପ୍ରସ୍ତୁତ ।